ଆଶୀର୍ବାଦ ଯୋଜନାରେ କୋରେଇରୁ ୧୫୧ ସାମିଲ

କୋରେଇ : ‌ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ୧୫୧ ପିଲା ଆଶୀର୍ବାଦ ଯୋଜନାରେ ସାମିଲ ହେବେ ବୋଲି ଏବେ ସୁଦ୍ଧା ସୂଚନା ମିଳିଛି। ମିଳିଥିବା ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତ ହୋଇ ମୋଟ ୮୪ ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୮୦ ଜଣ ‌ପୁରୁଷ ବା ବାପା। ଅନ୍ୟ ୪ ଜଣ ହେଲେ ଉଭୟ ସ୍ବାମୀସ୍ତ୍ରୀ। ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ଅନୁସାରେ ଏହି ୧୫୧ ଜଣ ପିଲାଙ୍କୁ ପ୍ରତିମାସରେ ଆର୍ଥିକ ସହାୟତା ସହିତ ମାଗଣାରେ ପାଠ ପଢ଼ିବାର ସୁବିଧା କରାଯିବ। ୨୦୨୦ ଏପ୍ରିଲ ପହିଲାରୁ ଗତ ଜୁଲାଇ ଶେଷଯାଏ କରୋନା କାଳରେ ଏହି ରିପୋର୍ଟ ଦିଆଯାଇଛି। ଅନ୍ୟପଟେ ଏଥିମଧ୍ୟରୁ କରୋନାରେ ମାତ୍ର ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।

ମିଳିଥିବା ସୂଚନା ଅନୁସାରେ, କୋରେଇ ବ୍ଲକରେ ୨୦୧୭ ରେ ସରକାରୀସ୍ତରରେ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ରେ ୬୩ ଜଣଙ୍କର ଓ ୨୦୧୯ରେ ୯୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଅର୍ଥାତ ହାରାହାରି ମୃତ୍ୟୁ ସଂଖ୍ୟା ଶହେ ଟପିନାହିଁ। କିନ୍ତୁ ୨୦୨୦ ଏପ୍ରିଲ ପହିଲାରୁ ଗତ ଜୁଲାଇ ଶେଷଯାଏ (କରୋନା କାଳରେ) ୧୫୩ ଜଣଙ୍କର ମୃତ୍ୟୁ ହୋଇଛି। ଦିଆଯାଇଥିବା ରିପୋର୍ଟରେ କୋରେଇ ବ୍ଲକ ବ୍ୟାସନଗର ପୌରାଞ୍ଚଳରୁ ସର୍ବାଧିକ ୭ ଜଣ, କରଦା ପଞ୍ଚାୟତରୁ ୨ ଜଣ, ଅମୃତିଆ ୧, ତଳଗଡ଼ ୧, ଗୋଳେଇପୁର ୧, ବଡ଼ବିରୁହାଁ ୧, ସାଦକପୁର ୨ ଓ ଅସନଝର ପଞ୍ଚାୟତରୁ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସ୍ବାଭାବିକ ଭାବେ ବ୍ଲକର ବାର୍ଷିକ ମୃତ୍ୟୁହାର ପାଖାପାଖି ଶହେ ରହୁଥିବା ବେଳେ କରୋନା କାଳରେ ଏହା ଦେଢ଼ଗୁଣ ବଢିଥିଲେ ମଧ୍ୟ ତାହା କରୋନାଜନିତ ନୁହେଁ ବୋଲି ଏହି ରିପୋର୍ଟ କହୁଛି।

ଏନେଇ କୋରେଇ ସିଡିପିଓ ଶକୁନ୍ତଳା ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ କେବଳ ଆଶୀର୍ବାଦ ଯୋଜନାରେ ପିଲାଙ୍କୁ ସାମିଲ କରିବା ପାଇଁ ରିପୋର୍ଟ ଦେବାକୁ ଆମକୁ ନିର୍ଦେଶ ହୋଇଥିଲା। ମୃତ୍ୟୁ କେଉଁ କାରଣରୁ ହୋଇଛି ତାହାର ପ୍ରମାଣପତ୍ର ସ୍ବାସ୍ଥ୍ୟ ବିଭାଗ ହିଁ ଦେବେ।

ସମ୍ବନ୍ଧିତ ଖବର