ଭୁବନେଶ୍ବର : ମହାମାରୀ ବର୍ଷରେ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ବାଳାଶ୍ରମ ବଦଳରେ ପରିବାରରେ ରଖିବା ପାଇଁ ଗୁରୁତ୍ବ ଦେଇଥିଲା ପ୍ରଶାସନ। ଏଥିପାଇଁ କାର୍ଯ୍ୟକାରୀ ହୋଇଥିଲା ଆଶୀର୍ବାଦ ଯୋଜନା। ସରକାର କହିଥିଲେ, ଉଭୟ ଅଭିଭାବକ ହରାଇଥିବା ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ୨୫୦୦ ଏବଂ ଜଣେ ଅଭିଭାବକ ହରାଇଥିବା ପିଲାଙ୍କୁ ମାସକୁ ୧୫୦୦ ଟଙ୍କା ଦିଆଯିବ। ୨୦୨୧ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ କିନ୍ତୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ପାଖାପାଖି ବର୍ଷେ ପରେ ସରକାର ପୁଣି ଆଶୀର୍ବାଦ ଯୋଜନା ଶୈଳୀରେ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ମାସିକ ଆର୍ଥିକ ସହାୟତା ବ୍ୟବସ୍ଥା ପାଇଁ କାର୍ଯ୍ୟକାରୀ କରିବା ପାଇଁ ବିଚାର କରୁଛନ୍ତି। ନିଷ୍ପତ୍ତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତେବେ ଜଣେ ଅଭିଭାବକ ହରାଇଥିବା ପିଲାଙ୍କୁ ଏହି ଷ୍ଟାଇପେଣ୍ଡ୍ ମିଳିନପାରେ। କେବଳ ସେତିକି ନୁହେଁ, ବାଳାଶ୍ରମରେ ଥଇଥାନ ବଦଳରେ ପରିବାରରେ ସମ୍ପର୍କୀୟଙ୍କ ସହିତ ରଖିବା ପାଇଁ ଏକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଯୋଜନାର ରୂପରେଖ ପ୍ରସ୍ତୁତ ସରିଛି ଓ ସରକାରଙ୍କ ଅନୁମୋଦନକୁ ଅପେକ୍ଷା ରହିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଳାଶ୍ରମ ବଦଳରେ ଆର୍ଥିକ ପ୍ରୋତ୍ସାହନକୁ ଗୁରୁତ୍ବ
୩ ଲକ୍ଷରୁ ଉର୍ଧ୍ବ କୋମଳମତୀ ଉଭୟ କିମ୍ବା ଜଣଙ୍କୁ ହରାଇଛନ୍ତି
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ସର୍ଭେରେ ଓଡ଼ିଶାରେ ୨ ଲକ୍ଷ ୫୦ ହଜାର ଉଭୟ ଏବଂ ଜଣେ ଅଭିଭାବକ ହରାଇଥିବା ପିଲାଙ୍କୁ ଚିହ୍ନଟ କରାଯାଇଥିଲା। ମହାମାରୀର ମାତ୍ର ୨ ବର୍ଷରେ ଏହି ସଂଖ୍ୟା ୩ ଲକ୍ଷକୁ ବୃଦ୍ଧି ପାଇଥିଲା। ଏପଟେ ରାଜ୍ୟରେ ପିଲାଙ୍କ ଥଇଥାନ ପାଇଁ ୩୦୩ଟି ଅନୁମତିପ୍ରାପ୍ତ ବିଭିନ୍ନ ପ୍ରକାର ଶିଶୁ ପ୍ରଯତ୍ନ କେନ୍ଦ୍ର ରହିଛି। ଏଠାରେ ପ୍ରାୟ ୧୦ ହଜାର ପିଲାଙ୍କ ରହିବାର କ୍ଷମତା ରହିଛି। ମହାମାରୀ ବର୍ଷରେ ପ୍ରାୟ ୫୦ ହଜାରରୁ ଉର୍ଧ୍ବ ପିଲା ଜଣେ କିମ୍ବା ଉଭୟ ଅଭିଭାବକଙ୍କୁ ହରାଇଥିବା ନେଇ ରିପୋର୍ଟ ରହିଛି। ଯାହା ଦେଶରେ ସର୍ବାଧିକ। ଏଥିରୁ ପ୍ରାୟ ୩୫ ହଜାରରୁ ଉର୍ଧ୍ବଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ଷ୍ଟାଇପେଣ୍ଡ୍ ସହିତ ବିଭିନ୍ନ ଯୋଜନାରେ ସଂପୃକ୍ତ କରାଯାଇଛି ସିନା ଅଧିକ ବାଳାଶ୍ରମ ଖୋଲାଯାଇ ନାହିଁ।
ହେଲେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବାଳାଶ୍ରମରେ ଯେଉଁଭଳି ଭାବରେ ପିଲାଙ୍କୁ ଯୌନ ନିର୍ଯାତନାର ଖବର ପଦାକୁ ଆସୁଛି, ଏଥିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପିଲାଙ୍କୁ ପରିବାରରେ ରଖିବାକୁ ଗୁରୁତ୍ବ ଦେଲଣି। ଏପରିକି ଅନେକ ଅଣଅନୁମତିପ୍ରାପ୍ତ ଅନୁଷ୍ଠାନ ବର୍ଷାଧିକ ପୁରୁଣା ହୋଇଥିଲେ ବି ତାକୁ ବନ୍ଦ କରାଯାଇଛି। ଏହି କ୍ରମରେ ବର୍ତ୍ତମାନ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ବାଳାଶ୍ରମରେ ରଖିବା ପରିବର୍ତ୍ତେ ମାସିକ ଆର୍ଥିକ ସହାୟତା ଏବଂ ଶିକ୍ଷା, ସ୍ବାସ୍ଥ୍ୟ ସମେତ ବିଭିନ୍ନ ଯୋଜନାରେ ସଂଯୋଗୀକରଣ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି।
ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡା କହିଛନ୍ତି, ଅଭିଭାବକ ନଥିଲେ ମଧ୍ୟ ଜେଜେ, ଜେଜେ ମାଆ, ଅଜା, ଆଈ, ପିଉସୀ, ମାଉସୀଙ୍କ ଭଳି ସମ୍ପର୍କୀୟଙ୍କ ସହିତ ରହିବାରେ ହିଁ ପିଲାଙ୍କ ଉପଯୁକ୍ତ ବିକାଶ ହୋଇ ପାରିବ। କିନ୍ତୁ ଟଙ୍କା ଅଭାବ ଏଥିରେ ବାଧକ ହୁଏ। ତେଣୁ ଅଭିଭାବକ ଛେଉଣ୍ଡ ପିଲାଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ ଯଥେଷ୍ଟ ଆର୍ଥିକ ସହାୟତାର ବ୍ୟବସ୍ଥା ହେବା ଉଚିତ। ଶିଶୁ କଲ୍ୟାଣ ସମିତି, ଶିଶୁ ସୁରକ୍ଷା ବିଭାଗ ନିୟମିତ ଏହି ଅଭିଭାବକ ଛେଉଣ୍ଡଙ୍କ ସ୍ଥିତି ସମୀକ୍ଷା କରିବା ଉଚିତ। ଏ ସଂକ୍ରାନ୍ତରେ ଶିଶୁ ସୁରକ୍ଷା ଅଧିକାର ଆଇନରେ ବି ନିର୍ଦେଶ ରହିଛି। ଏମିତିରେ ବି ଦେଖାଯାଏ ଯେ ଅଭିଭାବକ ଛେଉଣ୍ଡଙ୍କୁ ତାଙ୍କ ସମ୍ପର୍କୀୟମାନେ ଅନେକ ସମୟରେ ବିଭିନ୍ନ କାରଣରୁ ରଖିବାକୁ ଚାହାନ୍ତି ନାହିଁ। ଏଭଳି ସ୍ଥିତିରେ କେବଳ ଆର୍ଥିକ ସହାୟତା ପିଲାଙ୍କ ଭବିଷ୍ୟତକୁ କେତେ ସଜାଡ଼ି ପାରିବ ତାକୁ ନେଇ ପ୍ରଶ୍ନବାଚୀ ରହିବା ସ୍ବାଭାବିକ। ଅଭିଭାବକ ଛେଉଣ୍ଡ ପିଲା ସବୁଠାରୁ ଅସହାୟ ଗୋଷ୍ଠୀ ହୋଇଥିବାରୁ ସେମାନଙ୍କ ଭବିଷ୍ୟତ ପାଇଁ ପ୍ରସ୍ତୁତ ନୀତିକୁ ସବୁ ବର୍ଗ ମଧ୍ୟରେ ଆଲୋଚନା ହେବା ଉଚିତ୍।