ଚର୍ଚ୍ଚାରେ ପଡିଲା ଭଟ୍ଟା: ଚେୟାରମ୍ୟାନ ପଦରୁ ବାଦ ପଡିଲେ ଆଶିଷ

କେନ୍ଦୁଝର: ସବୁ ଚୂଡ଼ାନ୍ତ ‌ସରିଥିଲା। କେବଳ ଶିରିପା ଭିଡ଼ିବା ବାକିଥିଲା। ମାତ୍ର ରାଜତିଳକ ପିନ୍ଧିବା ପୂର୍ବରୁ ନିଷ୍ପତ୍ତି ବଦଳିଗଲା। ଜିଲ୍ଲାପରିଷଦ ସଭାପତି ଆସନରେ ବସିବାରୁ ବଞ୍ଚିତ ହେଲେ ଜିଲ୍ଲା ବିଜେଡିର ଟାଣୁଆ ନେତା ଆଶିଷ ଚକ୍ରବର୍ତ୍ତୀ। ସାଗରିକା ସାହୁ ଜିଲ୍ଲାପରିଷଦ ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି। କେଉଁ ପରିସ୍ଥିତିରେ ଓ କିଭଳି ଆଶିଷ ଷଡ୍‌ଯନ୍ତ୍ରର ଶିକାର ହେଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

କେନ୍ଦୁଝର ଜିଲ୍ଲାର ମୋଟ ୩୭ଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ସବୁଠାରୁ ହାଇପ୍ରୋଫାଇଲ ଜୋନ୍‌ ଥିଲା କେନ୍ଦୁଝର ସଦର ବ୍ଲକ୍‌ର ୬ ନମ୍ବର ଜୋନ୍‌। ଏହି ଜୋନ୍‌ରେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ଏହି ଜୋନ୍‌ ସାଧାରଣତଃ ବିଜେପିର ଗଡ଼ଭାବେ ପରିଚିତ। ଏଠାରୁ ପୂର୍ବଥର ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଥିଲା।

ଏହି ଜୋନ୍‌ ବିଜେଡି ପାଇଁ ବେଶ ଆହ୍ବାନପୂର୍ଣ୍ଣ ଥିଲା। ତେଣୁ ଦଳ ଏଠାରେ ପୂର୍ବତନ ଜିଲ୍ଲା ସଭାପତି ଆଶିଷଙ୍କୁ ପ୍ରାର୍ଥୀ କରିଥିଲା।  ଆଶିଷଙ୍କ ଉତ୍ତମ ସାଂଗଠନିକ ଦକ୍ଷତା ସାଙ୍ଗକୁ ପୂର୍ବରୁ ଏକାଧିକ ଦଳୀୟ ପଦବିରେ ରହିବା ଏବଂ ବର୍ତ୍ତମାନ ଜିଲ୍ଲା ଓକିଲ ସଂଘ ସଭାପତି ଥିବାରୁ ଏହି ନିର୍ବାଚନ ତାଙ୍କ ପାଇଁ ସମ୍ମାନର କଥା ଥିଲା। ତେଣୁ ଆରମ୍ଭରୁ ଏହି ଜୋନ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସେହିପରି ଚଳିତ ଥର ଜିଲ୍ଲାପରିଷଦ ସଭାପତି ପଦବି ଅସଂରକ୍ଷିତ ଥିବାରୁ ଆଶିଷଙ୍କୁ ପ୍ରାର୍ଥୀ କରାଯାଇଥିବା ଦଳର ରାଜ୍ୟସ୍ତରୀୟ ନେତୃତ୍ବମାନେ କହିଥିଲେ। ଯେଉଁଥିପାଇଁ ସେ ଜିଲ୍ଲାପରିଷଦ ସଭାପତି ହେବା ନେଇ ପ୍ରାୟତଃ ସ୍ଥିର ହୋଇଥିଲା।

ଆଶିଷ ମଧ୍ୟ ନିର୍ବାଚନରେ କମାଲ କରିଥିଲେ। ୧୦ ହଜାର ୪ ଶହ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଫଳରେ ସେ ସଭାପତି ଆସନରେ ବସିବା ନେଇ ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪ ଦିନ ତଳେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଡାକରା ପାଇବା ପରେ ଆଶିଷ ଭୁବନେଶ୍ବରରେ ତାଙ୍କୁ ଭେଟିଥିଲେ। ସେଠାରେ ମଧ୍ୟ ଆଶିଷଙ୍କୁ ସଭାପତି କରାଯିବ ବୋଲି ଆଲୋଚନା ବେଳେ ସ୍ଥିର ହୋଇଥିଲା। ମାତ୍ର ଦୁଇଦିନ ମଧ୍ୟରେ ପରିସ୍ଥିତି ବଦଳିଗଲା। ଏମିତିକି କୌଣସି ପୁରୁଷଙ୍କୁ ସଭାପତି ନ କରି ଜଣେ ମହିଳା ସାଗରିକା ସାହୁଙ୍କୁ ସଭାପତି ଆସନରେ ବସାଇବା ପାଇଁ ନିଷ୍ପତ୍ତି ନିଆଗଲା।

କୁହାଯାଉଛି, ଆଶିଷଙ୍କ ନା‌ମ ଦଳର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ରଙ୍କଠାରୁ ଆରମ୍ଭ କରି ସନାତନ ମହାକୁଡ଼ଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ସୁପାରିସ କରିଥିଲେ। ମାତ୍ର ତାଙ୍କୁ ସଭାପତି କରାଇବା ସପକ୍ଷରେ ନ ଥିଲେ କିଛି ବରିଷ୍ଠ ଅଧିକାରୀ। କେନ୍ଦୁଝର ଏକ ଖଣିଖାଦାନ ଭରା ଜିଲ୍ଲା ହୋଇଥିବାରୁ ତୃତୀୟ ମହଲା ସହିତ ଅତ୍ୟନ୍ତ ଘନିଷ୍ଠ ଥିବା କିଛି ଅଧିକାରୀ ଏହି ପଦବି ପାଇଁ ଜଣେ ରବର ଷ୍ଟାମ୍ପ ସପକ୍ଷରେ ଥିଲେ। ଏହି ଗୋଷ୍ଠୀ ଶେଷରେ ନିଜ ଯୋଜନାରେ ସଫଳ ହେଲେ ବୋଲି କୁହାଯାଉଛି। ଯଦିଓ ଏହା ଏକ ଶୁଣା କଥା, ମାତ୍ର ଏଥିଲେ କିଛି ସତ୍ୟତା ରହିଥାଇ ପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର