ଭୁବନେଶ୍ବର : ରାଜ୍ୟର ନୂତନ ସୂଚନା ବିଜ୍ଞାନ ପଦାଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ଅଶୋକ ହୋତା। ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଉପ-ମହାନିର୍ଦେଶକ ଥିବା ଶ୍ରୀ ହୋତା ଚଳିତମାସ ୧୬ତାରିଖରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଛତିଶଗଡ଼ର ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀଭାବେ ଅବସ୍ଥାପିତ ଥିଲେ। କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ଏକ ସ୍ବାଗତ ସମାରୋହ ଆୟୋଜିତ ହୋଇଥିଲା।
ଶ୍ରୀ ହୋତା କହିଥିଲେ ଯେ ରାଜ୍ୟ ସରକାରଙ୍କ ୫-ଟି ନୀତି, ଡିଜିଟାଲ ଇଣ୍ଡିଆ ମିସନର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରଯୁକ୍ତି ବିଦ୍ୟାର ନୂତନ ଜ୍ଞାନ କୌଶଳ ଯଥା ଏଆଇ, ବ୍ଲକ୍ ଚେନ୍, ଡାଟା ଆନାଲିଟିକ୍ସ ଆଦିର ଅର୍ଥପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଭାରତ ସଞ୍ଚାର ନିଗମର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇ, ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।