ଅଶୋକ ପରିଜା ଆଡ୍‌ଭୋକେଟ୍‌ ଜେନେରାଲ୍‌

ଭୁବନେଶ୍ବର/କଟକ : ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ରାଜ୍ୟର ନୂଆ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ଶ୍ରୀ ପରିଜା ଆଇନଜୀବୀ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି। ସେ ବାର୍ କାଉନସିଲ ଅଫ୍ ଇଣ୍ଡିଆ‌ର ଅଧ୍ୟକ୍ଷ ଭାବେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ସେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ରହିବା ସହ ହାଇକୋର୍ଟ ବାର୍ ଆସୋସଏସନ୍‌ର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୮୪ ମସିହାରୁ ଆଇନ ବୃତ୍ତିରେ ଥିବା ଶ୍ରୀ ପରିଜା ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲା ପରିଚାଳନା କରି ଆସୁଥିବା ବେଳେ ସାମ୍ବିଧାନିକ, କମ୍ପାନି ଆଫେୟାର୍ସ, ଦେୱାନି, ଫୌଜଦାରି ମାମଲା ପରିଚାଳନାରେ ବିଶେଷ ଦକ୍ଷତା ରଖିଛନ୍ତି।

ନିଯୁକ୍ତି ଘୋଷଣା ପରେ ଶ୍ରୀ ପରିଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ। ଆଡଭୋକେଟ ଜେନେରାଲ ଭାବେ ମୁଁ ନିଜ ଦାୟିତ୍ବ ନିଷ୍ଠା ଓ ଆନ୍ତରିକତାର ସହିତ ନିର୍ବାହ କରିବି। ରାଜ୍ୟର ସ୍ବାର୍ଥ ହେଉଛି ସର୍ବ ପ୍ରଥମ। ମୋ ଉପରେ ଯେଉଁ ବିଶ୍ବାସ ରଖି ଏହି ଦାୟିତ୍ବ ଦିଆଯାଇଛି ତାହା ମୁଁ ବଜାୟ ରଖିବି।

ସମ୍ବନ୍ଧିତ ଖବର