ବ୍ରହ୍ମପୁର: ଘର, ସଂସାର, ପରିବାର ଥାଇ ମଧ୍ୟ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ପରିଣତ ବୟସରେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି, ନାତୁଣୀ, ବନ୍ଧୁ ପରିଜନଙ୍କ ଠାରୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ପରିବର୍ତ୍ତେ ମିଳିଛି ହତାଦର ଓ ଲାଞ୍ଛନା। ଅସୁସ୍ଥତା ବେଳେ ସେବା ଶୁଶ୍ରୂଷା ପରିବର୍ତ୍ତେ ଆତ୍ମୀୟସ୍ବଜନ ଦୂରେଇ ଯାଇଛନ୍ତି। ମରିଯାଇଛି ମାନବିକତା। ଚିକିତ୍ସା ବାହାନାରେ ବଡ଼ ଡାକ୍ତରଖାନାକୁ ଆଣି ସେଠାରେ ଛାଡ଼ି ଚାଲିଯାଇଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ବଡ଼ଡାକ୍ତରଖାନାର ବିଭିନ୍ନ ୱାର୍ଡରେ।

Advertisment

publive-image

କନକ ଦାସ ସେମାନଙ୍କ ମଧ୍ୟରୁ ଜଣେ, ବୟସ ୭୦ । ୨୦୧୯ମସିହାରୁ ଅସ୍ଥିଶଲ୍ୟ ବିଭାଗର ଅନ୍ତଃ ବିଭାଗରେ ପଡ଼ିରହିଛନ୍ତି। ଘର ଠିକଣା ଭଲ ଭାବେ କହିପାରୁନାହାନ୍ତି। ତାରାତାରିଣୀ ମନ୍ଦିର ପାଖରେ କେଉଁଠି ତାଙ୍କ ଘର। କହୁଣିରେ ଆଘାତ ଯୋଗୁଁ ପରିବାର ଲୋକେ ଚିକିତ୍ସା ପାଇଁ ବଡ଼ଡାକ୍ତରଖାନାରେ ଆଣି ଛାଡ଼ି ଦେଇ ଚାଲିଯାଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଘରକୁ ଫେରାଇ ନେବାକୁ ଆଉ କେହି ଆସିଲେନି। ସେହିପରି ଉକ୍ତ ୱାର୍ଡ଼ରେ ଚିକିତ୍ସିତ ହେଉଥିବା ଅନ୍ୟଜଣେ ବୃଦ୍ଧ ହେଲେ ପି. ନୀଳକଣ୍ଠ, ବୟସ ଆନୁମାନିକ ୭୦, ଘର ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପଲାସା ଅଂଚଳରେ। ତାଙ୍କ ଝିଅ ବିଜୟୱାଡ଼ାରେ ରହୁଛନ୍ତି। ୨୦୨୧ ମସିହାରେ ଗୋଡ଼ରେ ଆଘାତ ଲାଗିବା ଯୋଗୁଁ ଚିକିତ୍ସା ପାଇଁ ଆସି ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ଏଠାରେ ହିଁ ପଡ଼ି ରହିଛନ୍ତି। କେହି ସ୍ବାସ୍ଥ୍ୟାବସ୍ଥା ପଚାରିବାକୁ ଅବା ଦେଖିବାକୁ ଆସୁନାହାନ୍ତି, କାଳେ ବଡ଼ଡାକ୍ତରଖାନାକୁ ଆସି ଭେଟିଲେ ମେଡିକାଲ କର୍ତ୍ତୃପକ୍ଷ ନେବାକୁ ବାଧ୍ୟ କରିବେ ଏବଂ ସେ ତାଙ୍କ ପାଇଁ ବୋଝ ପାଲଟିବେ ଭାବି ମୂଳରୁ ଆସୁନାହାନ୍ତି। ଏହି ଦୁଇଟି ଉଦାହରଣ ବୋଧେ ଯଥେଷ୍ଟ।
ଯେଉଁ ଆତ୍ମୀୟ ସ୍ବଜନଙ୍କ ପାଇଁ ନିଜର ଖୁସିକୁ ଜଳାଞ୍ଜଳି ଦେଇଥିଲେ, ସେମାନେ ଏବେ ଏଭଳି ବୃଦ୍ଧବୃଦ୍ଧାଙ୍କୁ ସାତ ପର କରି ଦେଇଛନ୍ତି। ବିନା ସାହାରାରେ ଚାଲିବାକୁ ଅକ୍ଷମ ଏଭଳି ବ୍ୟକ୍ତିଙ୍କ ଦେଖାଶୁଣା ପାଇଁ ‌ମେଡିକାଲ କର୍ତ୍ତୃପକ୍ଷ କିଛି ଆଟେଣ୍ଡାଣ୍ଟ୍‌ଙ୍କୁ ନିୟୋଜିତ କରିଛନ୍ତି। ଯେଉଁମାନେ କି ସେମାନଙ୍କୁ ନିତ୍ୟକର୍ମ ଠାରୁ ଆରମ୍ଭ କରି ଖୁଆଇବା ଓ ପିଆଇବାରେ ସହାୟକ ହେଉଛନ୍ତି।