କାନ୍ଥ ପଡ଼ି ଆଶ୍ରମ ଛାତ୍ରୀଙ୍କ ମୃତ୍ୟୁ ମାମଲା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କର: ହାଇକୋର୍ଟ

କଟକ : କାନ୍ଥ ଭୁଶୁଡ଼ି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ କୋହ୍ଲବେଡା ଆଶ୍ରମ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ୧୦ ଲକ୍ଷ ଟଙ୍କା ପୀଡ଼ିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ମୃତ ଛାତ୍ରୀଙ୍କ ବାପା ମାଧବ ସୋରେନ୍‌ଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବେ। ପୂର୍ବରୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶିକୁ ବାଦ୍‌ଦେଇ ଅବଶିଷ୍ଟ ଟଙ୍କା ମାଧବଙ୍କ ବ୍ୟାଙ୍କ ଖାତାରେ ୮ ସପ୍ତାହ ଭିତରେ ଜମା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ କେନ୍ଦୁଝର ଜିଲ୍ଲାପାଳ ଅକ୍ଟୋବର ୧୦ ଭିତରେ କଂପ୍ଲାଏନ୍ସ ଆଫିଡେଭିଟ୍‌ ହାଇକୋର୍ଟରେ ଦାଖଲ କରିବେ। ଯଦି ଆଦେଶ ପାଳନରେ ଅବହେଳା କରାଯାଏ, ତେବେ ଉପଯୁକ୍ତ ନିର୍ଦ୍ଦେଶ ପାଇଁ ମାମଲା ଶୁଣାଣି ଲାଗି ହାଇକୋର୍ଟ ରେଜି‌ଷ୍ଟ୍ରି ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ସ୍କୁଲ୍‌ଗୁଡ଼ିକରେ ପୁରୁଣା କୋଠାର ଯାଞ୍ଚ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏ ନେଇ ରହିଥିବା ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ପାଇଁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟର କପି ସବୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗକୁ ମଧ୍ୟ ପ୍ରଦାନ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଧବ ସୋରେନ୍‌ଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ବିବରଣୀରୁ ପ୍ରକାଶ, ଘସିପୁରା ବ୍ଲକ୍‌ ଅନ୍ତର୍ଗତ କୋହ୍ଲବେଡା ଆଶ୍ରମ ସ୍କୁଲର ନବନିର୍ମିତ ରୋଷେଇଘର କାନ୍ଥ ଭୁଶୁଡ଼ି ୨୦୧୩ ଅକ୍ଟୋବର ୩ରେ ପ୍ରଥମ ଶ୍ରେଣୀ ଛାତ୍ରୀ ରାଇମତି ସୋରେନ୍‌(୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ହଷ୍ଟେଲରେ ରହୁଥିବା ପିଲାମାନେ ଦାନ୍ତ ଘସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା। ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ବିନା ଅନୁମତିରେ ଏପରି ରୋଷେଇଘର କାନ୍ଥ କରାଯାଇଥିଲା। ଯଦି ଠିକ୍ ଭାବେ ନିର୍ମାଣ କରାଯାଇଥାନ୍ତା, ତେବେ ଏପରି ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥା’ନ୍ତା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଉପଯୁକ୍ତ କ୍ଷତିପୂରଣ ପ୍ରସଂଗ ନେଇ ମୃତ ଛାତ୍ରୀଙ୍କ ବାପା ମାଧବ ସୋରେନ୍‌ ୨୦୧୪ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ମାନବାଧିକାରକର୍ମୀ ତଥା ଆଇନଜୀବୀ ପ୍ରବୀର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର