ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଅବିଚ୍ଛିନ୍ନ ଅଂଶ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡକୁ ଶେଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ମାନଚିତ୍ରରେ ସ୍ଥାନ ମିଳିଛି।
ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ତଥା ଅନୁଗୁଳର ଆଠମଲ୍ଲିକ ଉପଖଣ୍ଡକୁ ନେଇ ୧୯୯୯ ମସିହାରୁ ଗଠିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମାନଚିତ୍ର କିନ୍ତୁ ଅଧୁରା ରହିଥିଲା। ଏହି ମାନଚିତ୍ରରେ ୧୦ଟି ଜିଲ୍ଲା ସ୍ଥାନ ପାଇଥିଲେ ବି ଆଠମଲ୍ଲିକ ଉପଖଣ୍ଡକୁ ସ୍ଥାନ ମିଳି ନଥିଲା। ଜାଣତରେ ହେଉ ବା ଅଜାଣତରେ ଏହି ସରକାରୀ ସଂସ୍ଥାର ମାନଚିତ୍ରରେ ଏଭଳି ଗର୍ହିତ ତ୍ରୁଟି ରହିଥିଲା। ଏ ସଂପର୍କରେ ଗତ ଡିସେମ୍ବର ମାସ ୧୪ ତାରିଖରେ ‘ସମ୍ବାଦ’ ପ୍ରଥମ ପୃଷ୍ଠାରେ ସେହି ଅସଂପୂର୍ଣ୍ଣ ମାନଚିତ୍ରର ଫଟୋ ସହ ‘ବିକାଶ ପରିଷଦ ମାନଚିତ୍ରରେ ନାହିଁ ଆଠମଲ୍ଲିକ ଉପଖଣ୍ଡ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବିକାଶ ପରିଷଦ ନିଜର ତ୍ରୁଟି ସୁଧାରିଛି। ସଂଶୋଧିତ ମାନଚିତ୍ରରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡକୁ ହଳଦିଆ ରଙ୍ଗରେ ଚିତ୍ରିତ କରି ବିକାଶ ପରିଷଦ ନକ୍ସାରେ ଯୋଡ଼ାଯାଇଛି। ଏହି ସଂଶୋଧନ ସାଂଗକୁ ବିକାଶ ପରିଷଦର ୱେବ୍ସାଇଟ୍କୁ ଅପ୍ଡେଟ୍ କରି ବିଭିନ୍ନ ତଥ୍ୟ ଦିଆଯାଇଛି।
ଅପରପକ୍ଷରେ ଉପରୋକ୍ତ ରିପୋର୍ଟର ଅନ୍ୟ ବିଷୟଟି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲାବେଳେ ତା’ଉପରେ ସରକାର କେବେ ଓ କ’ଣ ପଦକ୍ଷେପ ନେବେ, ତାହା ଜାଣିବାକୁ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି। ବୌଦ୍ଧ ଜିଲ୍ଲା ସହ ଆଠମଲ୍ଲିକ ଉପଖଣ୍ଡର ଭୌଗୋଳିକ ଓ ଭାବଗତ ସଂପର୍କ ରହି ଥିବାରୁ ଭବିଷ୍ୟତରେ ଜିଲ୍ଲା ପୁନର୍ଗଠନ ହେଲେ ସରକାର ଏହାଉପରେ ପଦକ୍ଷେପ ନେବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି। କାରଣ ଅନୁଗୁଳର ଅନ୍ୟ ଅଞ୍ଚଳଠାରୁ ଭିନ୍ନ ଆଠମଲ୍ଲିକ ଉପଖଣ୍ଡର ପୂର୍ବ ତୁଳନାରେ ପଶ୍ଚିମ ଓଡ଼ିଶା ସହ ଭାବଗତ ସଂପର୍କ ଅଧିକ। ପଶ୍ଚିମ ଓଡ଼ିଶାର ବୌଦ୍ଧ ଜିଲ୍ଲା ଓ ଆଠମଲ୍ଲିକ ଉପଖଣ୍ଡର ସଂସ୍କୃତି, ପରମ୍ପରା , ଭାଷା ଓ ଭାବରେ ଅନେକ ସମାନତା ରହିଛି। ଉଭୟ ଅଞ୍ଚଳ ମଧ୍ୟରେ ସାମାଜିକ ସଂପର୍କ ମଧ୍ୟ ବେଶ ସୁଦୃଢ଼। ଅତୀତରେ ଆଠମଲ୍ଲିକ ରାଜ୍ୟ ବୌଦ୍ଧ ମହାରାଜାଙ୍କ ଅଧୀନରେ ଆସୁଥିଲା। କିନ୍ତୁ, ଆଠମଲ୍ଲିକ ଓ ବୌଦ୍ଧ ମଝିରେ ମହାନଦୀ ଥିଲା ବାଧକ। ଏହାକୁ ଆଖି ଆଗରେ ରଖି ୧୯୪୮ରେ ଆଠମଲ୍ଲିକ ରାଜ୍ୟ ବୌଦ୍ଧରୁ ଅଲଗା ହୋଇ ଢେଙ୍କାନାଳରେ ମିଶିଥିଲା। ୧୯୪୮ରୁ ୧୯୯୩ ପର୍ଯ୍ୟନ୍ତ ଏହା ଅବିଭକ୍ତ ଢେଙ୍କାନାଳର ଅଂଶ ଥିଲା। ୧୯୯୩ରେ ଜିଲ୍ଲା ବିଭାଜନ ପରେ ଆଠମଲ୍ଲିକ ନୂଆ କରି ତିଆରି ହୋଇଥିବା ଅନୁଗୁଳ ଜିଲ୍ଲାର ଅଂଶବିଶେଷ ହେଲା। ସେହିପରି ଫୁଲବାଣୀରୁ ଅଲଗା ହୋଇ ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲାରେ ପରିଣତ ହେଲା ଓ ଫୁଲବାଣୀ ଜିଲ୍ଲାର ନାମ ବଦଳାଇ କନ୍ଧମାଳ କରାଗଲା।
ତେବେ, ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ବୌଦ୍ଧ ଓ ଆଠମଲ୍ଲିକକୁ ଯୋଡ଼ିବା ପାଇଁ ମହାନଦୀ ଉପରେ ସେତୁ ତିଆରି ହୋଇଛି। ବୌଦ୍ଧ ଓ କିଆକଟା ମଧ୍ୟରେ ମହାନଦୀ ପୋଲ ନିର୍ମିତ ହୋଇ ସାରିଥିବାବେଳେ ଧଳପୁର ଓ ଆଠମଲ୍ଲିକ ମଧ୍ୟରେ ପଶ୍ଚିମ ଓଡ଼ିଶାର ଦୀର୍ଘତମ ମହାନଦୀ ପୋଲ ତିଆରି ଚାଲିଛି। ୪୦ ଦଶକରେ ମହାନଦୀରେ ପୋଲ ଥିଲେ ହୁଏତ ଆଠମଲ୍ଲିକ ବୌଦ୍ଧରୁ ଅଲଗା ହୋଇ ନଥା’ନ୍ତା ଓ ପରବର୍ତ୍ତୀ ସମୟରେ ବୌଦ୍ଧ ଜିଲ୍ଲାର ଅଂଶ ହୋଇ ରହିଥାଆନ୍ତା। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ୪ଟି ଉପଖଣ୍ଡ ସଦର, ପାଲଲହଡ଼ା, ତାଳଚେର ଓ ଆଠମଲ୍ଲିକ ଥିଲାବେଳେ ବୌଦ୍ଧ ଜିଲ୍ଲାରେ ମାତ୍ର ଗୋଟିଏ। ତେଣୁ ଆଠମଲ୍ଲିକ ଉପଖଣ୍ଡ ବୌଦ୍ଧରେ ମିଶିଲେ ଏହି ଜିଲ୍ଲା ସମୃଦ୍ଧ ହେବା ସହ ରାଜସ୍ବ ଦୃଷ୍ଟିକୋଣରୁ ଅନୁଗୁଳ ଜିଲ୍ଲାର ବି ବିଶେଷ କୌଣସି କ୍ଷତି ହୁଅନ୍ତା ନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।