ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ: ମନ୍ତ୍ରୀଙ୍କ ଉପସ୍ଥିତିରେ ଚୌକି ଫିଙ୍ଗାଫୋପଡ଼ା

ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ: ମନ୍ତ୍ରୀଙ୍କ ଉପସ୍ଥିତିରେ ଚୌକି ଫିଙ୍ଗାଫୋପଡ଼ା

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତିର ଆଜି ଚତୁର୍ଥ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଛି। ବୈଠକରେ କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ କେତେଜଣ ସଭ୍ୟସଭ୍ୟା ହୋ’ହାଲ୍ଲା କରିବା ସହିତ ଗୃହ ମଧ୍ୟକୁ ଚୌକି ଫିଙ୍ଗିଛନ୍ତି।

ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାଏକଙ୍କ ସଭାପତିତ୍ବରେ ବୈଠକ ବସିଥିଲା। ତେବେ, ବୈଠକ ସମ୍ପର୍କରେ ନୋଟିସ୍ ପାଇ ନ ଥିବା ଅଭିଯୋଗ କରି ବୈଠକ ଆରମ୍ଭରୁ କେତେଜଣ ସଭ୍ୟସଭ୍ୟା ପାଟିତୁଣ୍ଡ କରିଥିଲେ। ଏପରିକି ଗୃହ ମଧ୍ୟକୁ ଚୌକି ଫିଙ୍ଗିଥିଲେ। ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ କେହି କାହାକୁ ମାନିବା ଅବସ୍ଥାରେ ନଥିଲେ। ବୈଠକ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଓ ପଞ୍ଚାୟତ ସମିତି ହ୍ବାଟ୍‌ସଆପ୍‌ ଗ୍ରୁପରେ ଚିଠି ପଠାଇବା ସମ୍ପର୍କରେ ବିଡିଓ ଓ ସମିତି ଅଧ୍ୟକ୍ଷା ବୁଝାଇଲେ ମଧ୍ୟ କେହି ବୁଝି ନ ଥିଲେ। ବିଶୃଙ୍ଖଳା କରୁଥିବା ସଭ୍ୟ ଓ ସଭ୍ୟାଙ୍କୁ ତାଗିଦ୍ କରାଯିବା ପରେ ସେମାନେ ବାହାରକୁ ପଳାଇଥିଲେ। ପରିସ୍ଥିତି ଶାନ୍ତ ପଡ଼ିବା ପରେ ବୈଠକ ହୋଇଥିଲା।

ଏନେଇ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା କହିଛନ୍ତି ଯେ, ନୂଆଗଡ଼ ପଞ୍ଚାୟତର ସମିତି ସଭ୍ୟ ରାମଚନ୍ଦ୍ର ନାୟକ, ଶିଶୁଅ ପଞ୍ଚାୟତର ସମିତି ସଭ୍ୟା ଆରତି କାଣ୍ଡି ପୂର୍ବ ବୈଠକର ବିବରଣୀ ପାଠ ସମୟରେ ଏହାକୁ ବିରୋଧ କରି ହୋ’ହଲ୍ଲା କରିଥିଲେ। ଏଥସହିତ, ଆଜିର ବୈଠକ ସମ୍ପର୍କରେ ଅବଗତ କରାଯାଇନଥିବା ଅଭିଯୋଗ କରି ଚେୟାର ଫିଙ୍ଗାଫୋପଡ଼ା କରିଥିଲେ ବୋଲି ଶ୍ରୀମତୀ ନାୟକ କହିଛନ୍ତି।

ବୈଠକରେ ଏବିଡିଓ ଯୋଗେନ୍ଦ୍ର ମହକୁଡ଼, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯ୍ୟୋୟ ମିଶ୍ର, ଦୁଇ ଜିଲ୍ଲାପରିଷଦ ସଭ୍ୟା, ବ୍ଲକ୍‌ ଅଧୀନ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, କୋଣାର୍କ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ସମେତ ଅସ୍ତରଙ୍ଗ ଥାନା କର୍ମଚାରୀ ନିୟୋଜିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ବୈଠକରେ ପାନୀୟ ଜଳ ଓ ପରିମଳ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟ, ଖାଉଟି ଓ ଯୋଗାଣ, ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି, ସାମାଜିକ ସୁରକ୍ଷା, ମନରେଗା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe