ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ନେଇଥିବା ପ୍ରତ୍ନତତ୍ତ୍ବ ବିଭାଗ କିଭଳି ସୁରକ୍ଷା ଦାୟିତ୍ୱ ତୁଲାଉଛି, ତାହା ଦକ୍ଷିଣ ଦ୍ୱାର ତଥା ଅଶ୍ୱଦ୍ୱାରରୁ ଜଳ ଜଳ ହୋଇ ଦିଶୁଛି। ବହୁଦିନ ହେବ ଅଶ୍ୱଦ୍ୱାରର ଅଶ୍ୱ, ସାରଥୀ ଓ ଅନ୍ୟମାନେ ଭାଙ୍ଗି ଝଡ଼ି ପଡ଼ିବାକୁ ବସିଥିଲେ ବି ଏଥି ପ୍ରତି ନା ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ପଡ଼ୁଛି ନା ଶ୍ରୀମନ୍ଦିରର ପ୍ରଶାସନର। ଶ୍ରୀମନ୍ଦିରକୁ ଆହୁରି ସୁନ୍ଦର ତଥା ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ିତୋଳିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ପକାଇଥିବା ବେଳେ ଶ୍ରୀମନ୍ଦିର ଐତିହ୍ୟର ଏଭଳି ଅବସ୍ଥା ଭକ୍ତ ମହଲଙ୍କୁ ଆନ୍ଦୋଳିତ କରିଛି। ଭକ୍ତଙ୍କ ଭକ୍ତିଭାବକୁ ବି ଏହା କୁଠାରାଘାତ କରିଛି।
ଶ୍ରୀମନ୍ଦିର ଚାରିଦ୍ୱାରରେ ସିଂହ, ବାଘ, ହାତୀ ଓ ଘୋଡ଼ା ପ୍ରତୀକ ଭାବେ ଜଗି ରହିଛନ୍ତି। ସିଂହଦ୍ୱାରରେ ସିଂହ, ଉତ୍ତର ଦ୍ୱାରରେ ହାତୀ, ପଶ୍ଚିମଦ୍ୱାରରେ ବାଘ ଓ ଦକ୍ଷିଣଦ୍ୱାରରେ ଘୋଡ଼ା ରହିଛନ୍ତି। ଏମାନେ ଧାର୍ମିକ ଭାବନା ସହ ଜଡ଼ିତ। ଧର୍ମର ପ୍ରତୀକ ଭାବେ ଦକ୍ଷିଣ ଦ୍ୱାରରେ କଳା ଓ ଧଳା ଘୋଡ଼ା ବିଜେ କରିଛନ୍ତି। ଅସୁରର କାନ୍ଧ ଉପରେ ଅଶ୍ୱର ଗୋଡ଼ ରହିଥିବା ବେଳେ ଅଶ୍ୱ ଉପରେ ଏକ ସାରଥୀ ଧନୁ ଓ ତୀର ଆଦି ଧରି ବସିଛନ୍ତି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂର୍ତ୍ତି ସବୁ ଭାଙ୍ଗିରୁଜି ଗଲାଣି। ଅଶ୍ୱର ଗୋଡ଼, ଦେହର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ସେହିଭଳି ସାରଥୀଙ୍କ ଧନୁତୀର ଭାଙ୍ଗି ଯାଇଥିବାବେଳେ ପାଦ ଓ ଅନ୍ୟାନ୍ୟ ସ୍ଥାନରେ ଫାଟ ଦେଖାଗଲାଣି। ସମାନ ଅବସ୍ଥା ଅସୁର ମୂର୍ତ୍ତିରେ ଦେଖିବାକୁ ମିଳିଛି। ହାତ, ଗୋଡ଼ ଆଦି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଯାହା କେବଳ ଶ୍ରୀମନ୍ଦିରର ଗାରିମା ନଷ୍ଟ କରୁନି, ସୌନ୍ଦର୍ଯ୍ୟ ବି ନଷ୍ଟ କରୁଛି। ଯେଉଁଠି ଶ୍ରୀମନ୍ଦିର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ବର୍ଷ ବର୍ଷ ଧରି ପ୍ରତ୍ନତତ୍ତ୍ବ ବିଭାଗକୁ ସୁରକ୍ଷା ଦାୟିତ୍ବରେ ରଖାଯାଇଛି, ଭକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ଦାନ ସୂତ୍ରରେ ଦେଉଛନ୍ତି, ସେଠି ଶ୍ରୀମନ୍ଦିରର ଏଭଳି ଅବସ୍ଥା ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଆଣିଦେଇଛି।