ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ତିନି ସାଂସଦଙ୍କ ମଧ୍ୟରେ ଅଛନ୍ତି ଅଶ୍ବିନୀ ବୈଷ୍ଣବ। ରାଜସ୍ଥାନର ବାସିନ୍ଦା, ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଅଶ୍ବିନୀ ବୈଷ୍ଣବ ୨୦୧୦ରେ ଚାକରି ଛାଡ଼ି ଘରୋଇ ଉଦ୍ୟୋଗରେ କାମ ଆରମ୍ଭ କରିଥିଲେ। ୧୯୯୪ ବ୍ୟାଚ୍ର ଏହି ଆଇଏଏସ୍ ଅଧିକାରୀ ୨୦୦୩ ମସିହା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିଲେ ହେଁ ବାଲେଶ୍ବର ଓ କଟକ ଜିଲ୍ଲାପାଳ ଭାବେ ତାଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାରେର ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପ ସଚିବ ଭାବେ ଯୋଗଦେଇଥିଲେ। ଖୁବ୍ କମ୍ ଦିନ ଏଠାରେ କାମ କରିଥିଲେ ବି ସେ ପିପିିପି ମୋଡରେ ଭିତ୍ତିଭୂମି ନିର୍ମାଣ ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଏହାପରେ ବାଜପେୟୀଙ୍କ କାର୍ଯ୍ୟକାଳ ସରିବା ପରେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୦୬ରେ ସେ ମୋରମୁଗାଓ ପୋର୍ଟ ଟ୍ରଷ୍ଟର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ଏହି ସମୟ ମଧ୍ୟରେ ଅଶ୍ବିନୀ ଓଡ଼ିଶା ଲୋକଙ୍କ ମଧ୍ୟରେ ବେଶ୍ ପରିଚିତ ନଥିଲେ। ୨୦୧୯ରେ ଯେତେବେଳେ ବିଜେପି ତାଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କଲା ଏବଂ ବିଜେଡି ତାଙ୍କୁ ସମର୍ଥନ ଦେଲା ସେତେବେଳେ ସେ ଚର୍ଚ୍ଚା ପରିସରକୁ ଆସିଥିଲେ। ଏହାପରେ ୨୦୨୧ରେ ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ସେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ୫-ଜି ସ୍ପେକ୍ଟ୍ରମ ନିଲାମ , ଡାକଘରର ଉନ୍ନତୀକରଣ ଦିଗରେ ସେ ବହୁତ ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି। ନିର୍ବାଚନ ପୂର୍ବରୁ ୨୦୨୪ରେ ପୁଣି ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାବେଳେ ବିଜେଡି ତାଙ୍କୁ ସମର୍ଥନ କରିଥିଲା। ବିଜେପି-ବିଜେଡି ସମ୍ପର୍କ ନେଇ ରାଜନୈତିକ ଚର୍ଚ୍ଚା ହେଉଥିବାବେଳେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ଅଶ୍ବିନୀଙ୍କ ରାଜନୈତିକ ଜୀବନରେ ସବୁଠୁ ଚାଲେଞ୍ଜିଂ ସମୟ ଥିଲା ବାହାନଗା ରେଳ ଦୁର୍ଘଟଣା। ଭାରତ ଇତିହାସର ଅନ୍ୟତମ ମର୍ମନ୍ତୁଦ ରେଳ ଦୁର୍ଘଟଣା ଜୁନ୍, ୨୦୨୩ରେ ହୋଇଥିଲା। ହେଲେ ଶ୍ରୀ ବୈଷ୍ଣବ ଯେପରି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କଲେ, ରେଳ ଧାରଣା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ତାହା ପ୍ରଶଂସନୀୟ ଥିଲା।