କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୧୫୩ ଜଣ କୃତକାର୍ଯ୍ୟ ହୋଇ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୧୫୩ ଜଣ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ମଧ୍ୟରେ ୫୬ ଜଣ ମହିଳା ଥିବା ବେଳେ ଅଶ୍ବିନୀ ପଣ୍ଡା ଟପର୍ ହୋଇଛନ୍ତି। ସେହିଭଳି ଅଙ୍କୁର ଅଭିଳାଷ ଦ୍ବିତୀୟ, ରଶ୍ମିରେଖା ପାତ୍ର ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ପରକୁ ପର ସୌମ୍ୟରଂଜନ ପ୍ରଧାନ, ସିଦ୍ଧେଶ୍ବର ନାୟକ, କିରଣ କୁମାର ମହାନ୍ତି, ପ୍ରଦୋଶ ପ୍ରଧାନ, ଦେବଦତ୍ତ ପ୍ରଧାନ, ଆୟୁଷୀ ପତି ଓ ନିବେଦିତା ନାୟକ ରହିଛନ୍ତି। ଅର୍ଥାତ ପ୍ରଥମ ଦଶଜଣଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ସୂଚନା ଅନୁଯାୟୀ ଓସିଏସ-୨୦୧୯ର ଏହି ପରୀକ୍ଷା ପାଇଁ ୨୦୧୯ରେ ପ୍ରିଲିମ ପରୀକ୍ଷା ହୋଇଥିବାବେଳେ ୨୦୨୦ ଡିସେମ୍ବର ୭ରୁ ୨୦୨୧ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା। ସେପ୍ଟେମ୍ବର ୯ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥିରେ ୩୦୭ଜଣ କୃତକାର୍ଯ୍ୟ ହୋଇଥିଲେ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ମୌଖିକ ପରୀକ୍ଷା ୨୦୨୧ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖରେ ଶେଷ ହୋଇଥିଲା। ଏଥିରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ନିଜନିଜର ରାଙ୍କ ଓ ପସନ୍ଦ ଅନୁଯାୟୀ ଗ୍ରୁପ୍ ଏ କ୍ୟାଟେଗୋରିର ୩୦ଟି ଓଏଏସ୍, ୯ଟି ଓଏଫ୍ଏସ୍, ୭ଟି ଓପିଏସ୍ ପଦବିରେ ଏବଂ ଗ୍ରୁପ୍ ବିର ୫ଟି ଏଆରସିଏସ୍/ଏଜିସିଏସ, ୮୨ଟି ଓଆରଏସ୍ ଓ ୨୦ଟି ଓଟିଏଏସ୍ ପଦବିରେ ନିଯୁକ୍ତି ସୁଯୋଗ ପାଇବେ।