ବାଲେଶ୍ବର/ରେମୁଣା: ବାଲେଶ୍ବର ଲୋକସଭା କ୍ଷେତ୍ର ଓ ଏହା ଅଧୀନ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍‌ ସମୟରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଆସି ବାଲେଶ୍ବର ରେଳଷ୍ଟେସନରେ ଓହ୍ଲାଇଥିଲେ। ବାଲିପାଳ ପଡ଼ିଆରେ ଆୟୋଜିତ ଦଳର ମହିଳା ସମ୍ମିଳନୀରେ ଯୋଗଦେଇ ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରଣୀତ ମହିଳା ସଶକ୍ତୀକରଣ ଯୋଜନା ମିସନ ଶକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ ସଶକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ସଂସଦରେ ଆଇନ ପ୍ରଣୟନ କରାଯାଇ ମହିଳାଙ୍କ ପାଇଁ ୩୩% ସଂରକ୍ଷଣର ବ୍ୟବସ୍ଥା ହୋଇଛି।

Advertisment

ଏଥିସହିତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାଙ୍କୁ ପ୍ରାଧାନ୍ୟ, ସ୍ବଚ୍ଛ ଭାରତ ମିସନରେ ମହିଳାଙ୍କ ପାଇଁ ପାଇଖାନା, ସ୍ବଚ୍ଛ ଇନ୍ଧନ ସୁଖୀ ପରିବାର ଯୋଜନାରେ ମହିଳାଙ୍କୁ ଉଜ୍ବଳା ଗ୍ୟାସ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାଙ୍କୁ ସ୍ବତନ୍ତ୍ର ପରିଚୟ, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ମାତୃତ୍ୱ ବନ୍ଦନା ଯୋଜନା, ସମସ୍ତ କର୍ମଜୀବୀ ମହିଳାମାନଙ୍କର ଗର୍ଭଧାରଣ ସମୟର ଛୁଟିକୁ ୧୨ ସପ୍ତାହରୁ ୨୪ ସପ୍ତାହ ବୃଦ୍ଧି କରିଛନ୍ତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର କୁପନ୍ ପ୍ରଦାନ କରାଯିବା ସହିତ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତା’ ସହିତ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୋମୋ ଡ୍ରୋନ୍‌ ଦିଦି ଯୋଜନା ଆରମ୍ଭ ହେବ ବୋଲି କହିଥିଲେ।

ଏହି ସମ୍ମିଳନୀରେ ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଂଚାସୀନ ଥିଲେ। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ରେମୁଣା ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଶ୍ରୀ ବୈଷ୍ଣବଙ୍କୁ ରେଳଷ୍ଟେସନରେ ସ୍ବାଗତ କରିବା ସହ ପାଛୋଟି ନେଇଥିଲେ। ସୂଚନା ଥାଉକି ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ବର ସଦର, ରେମୁଣା, ବସ୍ତା, ଜଳେଶ୍ବର, ଭୋଗରାଇ ଓ ନୀଳଗିରି ଆସନରେ ମାରାଥନ୍‌ ପ୍ରଚାର କରିବେ।