ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ନିଜ ସମ୍ପତ୍ତି ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି। ଏହି କ୍ରମରେ ଓଡ଼ିଶାର ତିନି ଜଣ ମନ୍ତ୍ରୀ ମଧ୍ୟ ସମ୍ପତ୍ତି ତାଲିକା ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି।
ପ୍ରଥମଥର ଲାଗି ମନ୍ତ୍ରୀ ହୋଇଥିବା ଶ୍ରୀ ଟୁଡୁଙ୍କ ନିକଟରେ ଅସ୍ଥାବର ସଂପତ୍ତିଭାବେ ଗୋଟିଏ ବାଇକ୍, ସ୍କର୍ପିଓ ଓ ଏଣ୍ଡିଏଭର ଗାଡ଼ି ଓ ୨୦ ଗ୍ରାମ୍ର ସୁନା ରହିଛି। ଦୁଇଟି ବ୍ୟାଙ୍କର ଋଣ ନେଇ ୪୯ଲକ୍ଷ ଟଙ୍କାର ସଂପତ୍ତି କିଣିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କ ଜମି ଓ ଘର ମୂଲ୍ୟ ୩ ଲକ୍ଷ ହୋଇଥିଲା ବେଳେ ଆଉ ଗୋଟିଏ ଜମିର ମୂଲ୍ୟ ୫ ଲକ୍ଷ ଟଙ୍କା। ତାଙ୍କ ପତ୍ନୀ ସୁମିତ୍ରା ଟୁଡୁଙ୍କ ପାଖରେ ଶହେ ଗ୍ରାମ ସୁନା ଯାହାର ମୂଲ୍ୟ ୩ଲକ୍ଷ ଓ ୩ଶହ ଗ୍ରାମ ରୁପା ରହିଛି। ଯାହାର ଦାମ ୧୫ହଜାର ଟଙ୍କା ହେବ। ଏହାଛଡ଼ା ତାଙ୍କର ଅନ୍ୟ କୌଣସି ସ୍ଥାବର ସଂପତ୍ତି ନାହିଁ।
ସେହିପରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ତାଙ୍କ ପତ୍ନୀଙ୍କ ନାଁରେ ଗୁରୁଗାଓଁରେ ଏକ ଫ୍ଲାଟ୍ ରହିଛି, ଯାହାକୁ ସେ ୨୦୧୦ ମସିହାରେ କୋଟିଏ ଟଙ୍କାରେ କିଣିଥିଲେ। ଯାହାର ମୂଲ୍ୟ ଏବେ ୩କୋଟି ଟଙ୍କା। ସେହିପରି ଅହମଦାବାଦରେ ଥିବା ଫ୍ଲାଟର ମୂଲ୍ୟ ୪୫ଲକ୍ଷ ଟଙ୍କା। ୨୦୦୩ ମସିହାରେ ପ୍ରାଚୀ ଏନକ୍ଲେଭ୍ରେ ସେ ବିଡିଏଠାରୁ ୩.୬୧ଲକ୍ଷ ଟଙ୍କାରେ ଏକ ଜାଗା କିଣିଥିଲେ। ଯାହାର ବର୍ତମାନର ମୂଲ୍ୟ ୬୫ଲକ୍ଷ ଟଙ୍କା। ତାଙ୍କର କୌଣସି ଚାଷ ଜମି ନାହିଁ। ତାଙ୍କ ପାଖରେ ନଗଦ ୧୬ହଜାର ଟଙ୍କା ଥିବା ବେଳେ ଗାଡ଼ି ଭାବେ ଗୋଟିଏ ହ୍ୟୁଣ୍ଡାଇ ସାଣ୍ଟା ଫି କାର୍, ଏଚ୍ଡିଏଫସି ବ୍ୟାଙ୍କରେ ୧୮ଲକ୍ଷରୁ ଅଧିକ ଟଙ୍କା ରହିଛି। ତହିଁରୁ ୧୦ଲକ୍ଷ ଏଫ୍ଡି ଭାବେ ଅଶ୍ବିନୀ ରଖିଛନ୍ତି। ଇପିଏଫ୍ରେ ୧କୋଟି ୩୯ଲକ୍ଷ, ସିମେନ୍ସ ଇଣ୍ଡିଆରେ ୧୫ଲକ୍ଷ ୪୮ହଜାର, ପିପିଏଫ୍ରେ ୩୨ଲକ୍ଷରୁ ଅଧିକ ଓ ଦୁଇଟି ଜୀବନ ବୀମାରେ ସାଢ଼େ ୩ଲକ୍ଷରୁ ଅଧିକ ଟଙ୍କା ରହିଛି। ୪ଟି କମ୍ପାନିରେ ଅଶ୍ବିନୀଙ୍କ ହୋଲ୍ଠିଂ ଓ ସେୟାର ରହିଛି। ଯାହାର ମୂଲ୍ୟ ୪୬ କୋଟିରୁ ଅଧିକ। ସେହିପରି ଗୁଜୁରାଟ ଫର୍ଟିଲାଇଜର କର୍ପୋରେସନ୍ରରେ ୨.୨୮ଲକ୍ଷ, ଏଲ୍ଏଣ୍ଡଟିରେ ୩.୪୧ଲକ୍ଷ, ବେଦାନ୍ତରେ ୫୪ହଜାର ଟଙ୍କା ମୂଲ୍ୟର ସେୟାର ରହିଛି। ଏହା ବାଦ୍ ୨୨ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ରହିଥିବା ସେ ଦର୍ଶାଇଛନ୍ତି। ତାଙ୍କ ପତ୍ନୀ ସୁନିତାଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କରେ ୫୫ଲକ୍ଷରୁ ଅଧିକ ଟଙ୍କା ଥିବା ବେଳେ ୫ଲକ୍ଷ ୭୨ହଜାର ଟଙ୍କାର ଅଳଙ୍କାର ରହିଛି। ଦୁଇଟି କମ୍ପାନିରେ ୧୫କୋଟି ୬୪ଲକ୍ଷରୁ ଅଧିକ ମୂଲ୍ୟର ସେୟାର ଥିବା ବେଳେ ନଗଦ ୫ହଜାର ଟଙ୍କା ରହିଥିବା ସୂଚନା ଦେଇଛନ୍ତି। ୨୫ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ରହିଛି। ତେବେ ତାଙ୍କର ୧୦ଲକ୍ଷରୁ ଅଧିକ ଟଙ୍କାର ଋଣ ରହିଛି। ଏସବୁକୁ ମିଶାଇଲେ ଅଶ୍ବିନୀଙ୍କ ସଂପତ୍ତି ୭୦ କୋଟିରୁ ଅଧିକ ହେବ।
ସେହିପରି କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କର ଗତ ମାର୍ତ ୩୧ତାରିଖ ସୁଦ୍ଧା ୨କୋଟି ୯ଲକ୍ଷରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି। ତେବେ ୪୬ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଲାଏବିଲିଟି ବା ଆର୍ଥିକ ବୋଝକୁ ବାଦ୍ ଦେଲେ ସମୁଦାୟ ସଂପତ୍ତି ମୂଲ୍ୟ ୧କୋଟି ୬୨ଲକ୍ଷ ଟଙ୍କାରୁ ଅଧିକ ହେବ। ତାଙ୍କର ଗାଜିଆବାଦରେ ଥିବା ଘର ମୂଲ୍ୟ ୯୬ଲକ୍ଷରୁ ଅଧିକ ଓ ବ୍ୟାଙ୍କରେ ୫୮ଲକ୍ଷର ଜମାରାଶି ରହିଛି। ସେହପିରି ତାଙ୍କ ପତ୍ନୀ ମୃଦୁଳା ପ୍ରଧାନଙ୍କ ନାଁରେ ୨କୋଟି ୮୧ଲକ୍ଷ ଟଙ୍କାରୁ ଅଧିକ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି। ଏଥିରେ ୧.୩ କୋଟି ଟଙ୍କା ମୂଲ୍ୟର ବ୍ୟବସାୟିକ ଗାଡ଼ି, ୩୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ରହିଛି। ତାଙ୍କ ଝିଅଙ୍କ ପାଖରେ ୧୧ଲକ୍ଷରୁ ଅଧିକ ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ୍ ଥିବା ବେଳେ ପୁଅଙ୍କ ପାଖରେ ସମୁଦାୟ ୩ଲକ୍ଷ ୨୪ହଜାର ଟଙ୍କା ରହିଥିବା ଶ୍ରୀ ପ୍ରଧାନ ସତ୍ୟପାଠରେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Ashwini-Vaishnaw.jpg)