ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଓ ବିଜେଡି ତାଙ୍କୁ ସମର୍ଥନ ଦେଲା। ଆସନ୍ତାକାଲି ଅଶ୍ବିନୀ ପ୍ରାର୍ଥିପତ୍ର ଦାଖଲ କରିବେ। ଏବେ ବିଜେଡିରୁ ଦୁଇ ଓ ବିଜେପିରୁ ଜଣେ ରାଜ୍ୟସଭା ଯିବା ସ୍ପଷ୍ଟ ହୋଇଛି। ଆଜି ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ଆଗରୁ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାରେ ବିଜେପି ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ହୋଇସାରିଥିଲା। ଏହାର କିଛି ସମୟ ପରେ ବିଜେଡି ପକ୍ଷରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହେଲା। ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ବିଜେଡି ସମର୍ଥନ କରିବ ବୋଲି ଏଥିରେ କୁହାଗଲା। କାରଣରେ ଦର୍ଶାଗଲା ଯେ ରାଜ୍ୟରେ ରେଳବାଇ ଓ ଟେଲିକମ୍ ବିକାଶରେ ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀ ବୈଷ୍ଣବ ଏଠାରେ ପହଞ୍ଚିଲା ପରେ ଗଣମାଧ୍ୟମକୁ କହିଥିଲେ, ବିଜେପିର ମୁଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ଦଳର ସବୁ ନିର୍ଣ୍ଣୟ ପାର୍ଟି ନେଇଥାଏ। ପ୍ରଧାନମନ୍ତ୍ରୀ ମୋତେ ଆଉ ଥରେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ଆଜି ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଜେପିର ସବୁ ବିଧାୟକ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଶ୍ରୀ ବୈଷ୍ଣବ ସେଠାକୁ ଯାଇ ବୈଠକ କରିଥିଲେ। ସେଠାରେ ବିଧିବଦ୍ଧ ଭାବେ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କୁହାଯାଇଥିଲା। ୨୦୧୯ ମସିହାରେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଉଭୟ ଦଳ ଏଠାରେ ପରସ୍ପର ବିରୋଧରେ ଲଢ଼ୁଥିଲା ବେଳେ ରାଜ୍ୟସଭାରେ ମିଳିତ ପ୍ରାର୍ଥୀ ଦେବା ଘଟଣାକୁ କେହି ସହଜରେ ଗ୍ରହଣ କରି ନଥିଲେ। ଏଥିପାଇଁ ଉଭୟ ଦଳ ବେଶ୍ ସମାଲୋଚନାର ଶିକାର ହୋଇଥିଲେ। ଏବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଆସନ ଆଉ ଦେବନାହିଁ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ବିନା ବାଧାରେ ଦଖଲ କରିନେବ ବୋଲି ମତପ୍ରକାଶ ପାଇଥିଲା। ସବୁ ପୂର୍ବାନୁମାନକୁ ଉଭୟ ବିଜେପି ଓ ବିଜେଡି ଭୁଲ୍ ପ୍ରମାଣିତ କରିଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ପାଇଁ ପୁନର୍ବାର ଦୁଇ ଦଳ ଏକାଠି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ଅନ୍ୟ ରାଜନୈତିକ ଦଳ ସମାଲୋଚନା କରିଛନ୍ତି। କିନ୍ତୁ ଉଭୟ ଦଳର ନେତା ଏହି ପ୍ରସଙ୍ଗରେ ରକ୍ଷଣାତ୍ମକ ଢଙ୍ଗରେ ନିଜ ନିଜ ମତ ରଖୁଛନ୍ତି।
ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେଡିକୁ ଆମେ ସମର୍ଥନ ମାଗି ନାହୁଁ ବୋଲି ସେ ସଫେଇ ଦେଇଛନ୍ତି। ଶ୍ରୀ ସାମଲ କହିଛନ୍ତି, ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ। ସମର୍ଥନ କିଏ ଦେବ ନ ଦେବ, ତାହା ତାଙ୍କ ଦଳୀୟ କଥା। ଆମେ ସମର୍ଥନ ମାଗିନୁ। ଯଦି କିଏ ସମର୍ଥନ ଦେବ, ଆମେ କ’ଣ ମନା କରିବୁ? ସେମାନଙ୍କୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ? ବିଜେପି ରାଜ୍ୟସଭାରେ ଲଢ଼ିବ। ଯଦି କାହାର ଲଢ଼ିବାର ଅଛି, ନାମାଙ୍କନପତ୍ର ଦାଖଲ କରି ଲଢ଼ନ୍ତୁ। ଆସନ୍ତା ନିର୍ବାଚନରେ ବିଜେଡି ସହ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ଶ୍ରୀ ସାମଲ କହିଲେ, ଶ୍ରୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ବକୁ ବିଜେଡିର ସମର୍ଥନ ଆଗାମୀ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ। ମେଣ୍ଟ ହେବାର ପ୍ରଶ୍ନ ଉଠୁନି। ବିଜେପି ଏକାକୀ ଲଢ଼ିବ। କର୍ମୀ ମଇଦାନକୁ ଓହ୍ଲାଇ ପଡ଼ିଲେଣି। ଲୋକ ଚାହୁଛନ୍ତି, ବିଜେପି ସରକାର କରିବ। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ଅତି କମ୍ରେ ୩୭ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ବିଜେପିର ଏବେ ୨୨ ଜଣ ବିଧାୟକ ଅଛନ୍ତି। ବିଜେଡି ସମର୍ଥନ ଘୋଷଣା କରିଥିବାରୁ ଆଉ ନିର୍ବାଚନ ହେବାର ସମ୍ଭାବନା ନାହିଁ।