ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିଜୟ କହିଲେ; ମନ୍ଦିିର ସୁରକ୍ଷା ନେଇ ଏଏସ୍‌ଆଇ କହିବ

ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ଖନନ ଓ ନିର୍ମାଣକୁ ‌ବେଆଇନ୍‌ ଅଭିଯୋଗ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ଦାବି କରି ଆସନ୍ତା ୨୭ ତାରିଖରେ ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ ସଂଗଠନ ନେତୃତ୍ବରେ ସାରା ରାଜ୍ୟର ଭକ୍ତ, ଶ୍ରୀ‌ଜଗନ୍ନାଥପ୍ରେମୀ, ରାଜନେତା ଏକାଠି ହୋଇ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାର ଆହ୍ବାନ ଦେଇଛନ୍ତି। ଏଥିପାଇଁ ଭକ୍ତ, ବିଭିନ୍ନ ସଂଗଠନ ଏକାଠି ହେଉଥିବା ବେଳେ ଆଜି ଆଉ ଏକ ସଂଗଠନ ଏହା ବିରୋଧରେ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ନାଁରେ ଗଢ଼ା ହୋଇଥିବା ଏହି ନବସଂଗଠନର କର୍ମକର୍ତ୍ତା ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଆସନ୍ତା ୨୭ ତାରିଖରେ ଯେଉଁ ଆନ୍ଦୋଳନ ହେଉଛି, ତାର ପ୍ରତିବାଦ ସ୍ବରୂପ ବଡ଼ଦାଣ୍ଡ ମାର୍କେଟ୍‌ ଛକରେ ଗଣଧାରଣା ଦେବାକୁ ଅନୁମତି ମାଗିଛନ୍ତି। ଯେଉଁଥିରେ ୨ହଜାରରୁ ଅଧିକ ଲୋକ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି।

ଶ୍ରୀନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗତକାଲି ଗଜପତି ମହରାଜଙ୍କ ଦ୍ବାରା ଦିଆଯାଇଥିବା ବୟାନ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଗଜପତି କେମିତି କହିବେ? ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିପାରିବେ । ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଏଏସଆଇ କହିବ, ଏନେଇ ଆଇନରେ ବ୍ୟବସ୍ଥା ଅଛି । ଗଜପତି କଣ ଅଧିକୃତ ଅଧିକାରୀ କି?

ସୂଚନାଯୋଗ୍ୟ, ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ ଯେ, ଶ୍ରୀମନ୍ଦିର ନିଶ୍ଚିତ ସୁରକ୍ଷିତ ଅଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ସୁବିଧା, ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ ପାଇଁ। ମହାପ୍ରଭୁଙ୍କ ଏହି ମହାନ ପୀଠକୁ ବିଶ୍ବସ୍ତରରେ ଉତ୍ତମ ଭାବେ ଉପସ୍ଥାପନା ପାଇଁ ଏହି ଯୋଜନା ନିତାନ୍ତ ଆବଶ୍ୟକ। ଏଣୁ ଏହି ଯୋଜନା କିଭଳି ସୁନ୍ଦର ଭାବେ ଆଗେଇ ଚାଲିବ, ସେ ଦିଗରେ ସହଯୋଗ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହା ଉପରେ ଚିନ୍ତନ କରି କାମକୁ ଆଗେଇ ନେବା ଦରକାର। କୌଣସି ଅସୁବିଧା ଥିଲେ ମିଳିତ ବୈଠକ ଡାକି ଯଥାଶୀଘ୍ର ସମାଧାନ କରାଯାଉ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବହୁଦିନର ବାଦବିବାଦ ପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ବିଜୟ ମହାପାତ୍ରଙ୍କ ବ୍ୟତୀତ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଟିପ୍ପଣୀ ଦେଇଛନ୍ତି। ଶ୍ରୀ ପାତ୍ର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଛନ୍ତି ଯେ, ରାଜନୀତି ନକରି ଏଏସଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର । ଭକ୍ତଙ୍କ ବିକାଶ ଓ ସୁବିଧା ପାଇଁ ବିଜେପି ସର୍ବଦା ଚିନ୍ତା କରିଆସିଛି।

ସମ୍ବନ୍ଧିତ ଖବର