ପୁରୀ : ପ୍ରତ୍ନତତ୍ତ୍ବ ବିଭାଗ କୋର୍ କମିଟିର ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଶ୍ରୀମନ୍ଦିର ପରିସରସ୍ଥିତ ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମିଟି ୨୦୧୮ ମସିହାରୁ ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶିଡ଼ିରେ ଚଢ଼ି ନାଟମଣ୍ଡପ ଛାତ ଓ ବିମ୍ର ସ୍ଥିତି ପରଖିଛନ୍ତି। ସେହିଭଳି ନାଟମଣ୍ଡପ ଓ ଜଗମୋହନ ସଂଯୋଗ ସ୍ଥଳ ମରାମତି କାର୍ଯ୍ୟ ବୁଲି ଦେଖିଛନ୍ତି।
ଏଏସ୍ଆଇ ଯୁଗ୍ମ ଡିଜି ଜାନଭି ଶର୍ମା, କୋଲକାତାର ଆଞ୍ଚଳିକ ନିର୍ଦ୍ଦେଶକ, ଏଏସ୍ଆଇ ଅଧୀକ୍ଷକ, କେମିକାଲ୍ ୱିଙ୍ଗ୍ର ସାଇଣ୍ଟିଫିକ୍ ଟିମ୍ଙ୍କ ସହ କୋର କମିଟିର ବରିଷ୍ଠ ସଦସ୍ୟମାନେ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରେ ଶ୍ରୀମନ୍ଦିର ପହଞ୍ଚିଥିଲେ। ୫ ଘଣ୍ଟାରୁ ଅଧିକ ସମୟ ଧରି ଏହାର ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ। ନାଟମଣ୍ଡପ ବିମ୍ ଓ କ୍ରାକ୍ ମିଟରରେ ସ୍ଥିତି ପରଖିଥିଲେ।
ସୁପ୍ରିମକୋର୍ଟଙ୍କ ନିେର୍ଦ୍ଦଶକ୍ରମେ ମନ୍ଦିର ରୋଷଶାଳା ଓ ଆନନ୍ଦବଜାରର ଆବଶ୍ୟକ ପରିବର୍ତ୍ତନ କାର୍ଯ୍ୟ କିପରି କରାଯିବ ଓ କେବେଠୁ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତ୍ନତତ୍ତ୍ବ ବିଭାଗ ଜଗମୋହନ କାମ ସାରିଥିଲେ ବି ନାଟମଣ୍ଡପ ଓ ଜଗମୋହନ ସଂଯୋଗ ସ୍ଥାନରେ ଫାଟ ଥିବାରୁ ମନ୍ଦିର ଭିତରେ ବର୍ଷା ସମୟରେ ପାଣି ଗଳୁଛି। ନାଟମଣ୍ଡପ ବିମ୍, ଛାତରେ ଫାଟ ସୃଷ୍ଟି ହେବା ସହ ସିମେଣ୍ଟ ଛେଲା ବି ଖସୁଛି। କେମିକାଲ୍ ୱିଙ୍ଗ୍ର ବୈଜ୍ଞାନିକମାନେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରାଯାଇଥିବା କେମିକାଲ୍ର ସ୍ଥିତି ସହ ଅନ୍ୟ କି କି ନୂଆ ପଦକ୍ଷେପ ନିଆଯିବ ସେ ଉପରେ ଆବଶ୍ୟକ ବିଚାରବିମର୍ଶ କରିଥିଲେ।
କ୍ରାକ୍ ମିଟର ସଂପର୍କରେ ଶ୍ରୀ ପାଲ୍ କହିଛନ୍ତି, ଏହା ସଠିକ୍ ଭାବେ କାମ କରୁଛି। ଖୁବ୍ଶୀଘ୍ର ଏହି ମିଟରରୁ ଚୂଡ଼ାନ୍ତ ରିପୋର୍ଟ ମିଳିବ। ସେହି ଅନୁଯାୟୀ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ଆଜିର ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା ନାଟମଣ୍ଡପ ଓ ଏହାର ମରାମତି। କୋର କମିଟି ଆଜି ଏହାର ସମୀକ୍ଷା କରିଛି। କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଛନ୍ତି। ଯେଉଁ ସବୁ ମରାମତି କାର୍ଯ୍ୟ ଚାଲିଛି, ଆସନ୍ତା ଚାରି ମାସ ଭିତରେ ଏହାକୁ ସାରିବାକୁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/asi-core-committee.jpg)