ରାଉରକେଲା: ବସ୍ ଓ କାର୍ ଧକ୍କାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ମାଡ଼ପିଟ୍ସ୍ଥଳରେ ଉଦିତନଗର ଥାନାର ମହିଳା ଏଏସ୍ଆଇଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଏଏସ୍ଆଇ ହେଲେ ଏଲିସା ଲୁଗୁନ (୩୦)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଲିସାଙ୍କ ମୃତ୍ୟୁ କାରଣ ସମ୍ପର୍କରେ ଉଦିତନଗର ଥାନା ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି। କେବଳ ଥାନା ଅଧିକାରୀ ନୁହଁନ୍ତି ମୃତ ଏଏସ୍ଆଇ ଲୁଗୁନଙ୍କ ସହ ପିସିଆର୍ ଭ୍ୟାନ୍ରେ ଘଟଣାସ୍ଥଳକୁ ଯାଇଥବା ହାବିଲଦାର ଓ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ମୁହଁ ଖୋଲିନାହାନ୍ତି। ଅନ୍ୟପଟେ ଘଟଣାସ୍ଥଳରେ କିଛି ଯୁବକଙ୍କ ମାଡ଼ରେ ଏଲିସାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ଦିଅର ଅଭିଯୋଗ କରିଛନ୍ତି। ଉଦିତନଗର ପୁଲିସ ଏଏସ୍ଆଇ ଲୁଗୁନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ସେପଟେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ମାଡ଼ିପିଟ୍ରେ ବସ୍ର ଡ୍ରାଇଭର, କଣ୍ଡକ୍ଟର ମହମ୍ମଦ ସାହିଦ, ମହମ୍ମଦ ଜାଫିର ସମେତ ଅନ୍ୟ କିଛି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତବାକ ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ଘରୋଇ ଯାତ୍ରୀବାହୀ ବସ୍ ‘ରାଜା ଗୋଲ୍ଡ’ କିଛି ଯାତ୍ରୀଙ୍କୁ ନେଇ ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲା। ଏସ୍ଟିଆଇ ଛକଠାରୁ କିଛି ଦୂର ‘ଅଗ୍ରସେନ ଭବନ’ ନିକଟରେ ବସ୍ ଏକ କାର୍କୁ ଧକ୍କା ଦେଇଥିଲା। ଡ୍ରାଇଭର ଓ ପଛରେ ବସିଥିବା କିଛି ଯୁବକ କାର୍ରୁ ଓହ୍ଲାଇ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ କରିଥିଲେ। କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ବସ୍ର କଣ୍ଡକ୍ଟର ଯାତ୍ରୀମାନଙ୍କୁ ବସ୍ଷ୍ଟାଣ୍ଡରେ ଛାଡି ଫେରିଲାବେଳେ କ୍ଷତିପୂରଣ ଦେବାକୁ କାର୍ର ଡ୍ରାଇଭରଙ୍କୁ କହିଥିଲେ। ସେଠାରୁ ବସ୍ ନେଇ ବାହାରି ଯାଇଥିଲେ। ଅଧଘଣ୍ଟା ପରେ ବସ୍ ରାଉରକେଲାରୁ ରାଜଗାଙ୍ଗପୁର ବାହାରିଥିଲା। ଆର୍ଏମ୍ସି ଅଫିସ୍ ନିକଟରେ କାର୍ର ଡ୍ରାଇଭର କିଛି ଯୁବକ ବସ୍କୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଯାହାକୁ କେନ୍ଦ୍ରକରି ବସ୍ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ସହ କାର୍ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମାଡ଼ପିଟ୍ ହୋଇଥିଲା। ଖବର ପାଇ ପିସିଆର୍ ଭ୍ୟାନ୍ରେ ଉଦିତନଗର ଥାନାର ଏଏସ୍ଆଇ ଏଲିସା ଲୁଗୁନ ଓ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଡ଼ପିଟ୍ ହେଉଥିବା ଦୁଇ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ଏଏସ୍ଆଇ ଲୁଗୁନ୍ ବେହୋସ ହୋଇ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ପୁଲିସ କର୍ମଚାରୀ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ମୃତ ଏଏସ୍ଆଇ ଏଲିସା ଲୁଗୁନ ପ୍ରଥମେ ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ଲୁଗୁନ ଘଟଣାର ତଦନ୍ତ କରୁଥିଲେ। ଏସବୁ ଦୃଷ୍ଟିକୋଣରୁ ଏଏସ୍ଆଇ ଏଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଆସନ୍ତାକାଲି (ସୋମବାର) ଏଏସ୍ଆଇ ଏଲିସାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।