ବୋଲେରୋ ଧକ୍କାରେ ଏଏସ୍‌ଆଇଙ୍କ ମୃତ୍ୟୁ

କେନ୍ଦୁଝର/ଝୁମ୍ପୁରା : ବୋଲେରୋ ଧକ୍କାରେ ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଏଏସ୍‌ଆଇ ମୋରିସ୍ କୁଜୁରଙ୍କର ମୃତ୍ୟୁ ହୋଇଛି। ଆଜି ମଧ୍ୟାହ୍ନ ସା‌ଢ଼େ ୧୨ଟା ପାଖପାଖିରେ ସେ ଏକ ବାଇକ୍‌ରେ ଥାନାକୁ ଆସୁଥିଲେ। ଥାନା ନିକଟ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଏକ ବୋଲେରୋ (ଓଡି-୦୯ଏ-୩୬୧୦) ତାଙ୍କୁ ସାମନାରୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ ସହିତ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସଂଗେସଂଗେ ତାଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଶବ ଜବତ କରି ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ବୋଲେରୋ ଡ୍ରାଇଭରକୁ ପୁଲିସ ଅଟକ ରଖିଛି। ମୃତ ଏଏସ୍‌ଆଇଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର