କୋଣାର୍କ ସଂରକ୍ଷଣ ମାମଲାରେ ହାଇକୋର୍ଟରେ ହାଜର ହେବେ ଏଏସ୍‌ଆଇ ଡିଜି

କଟକ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ମରାମତି ପ୍ରସଂଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି) ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସାନି ସ୍ଥିତି ନେଇ ଅବଗତ କରିବେ। ଏ ପର୍ଯ୍ୟନ୍ତ କରାଯାଇଥିବା ସଂରକ୍ଷଣ କାର୍ଯ୍ୟର ସ୍ଥିତି ଓ ପ୍ରସ୍ତାବିତ ମରାମତି କାର୍ଯ୍ୟ ସଂପର୍କରେ ଡିଜି ତଥ୍ୟ ଉପସ୍ଥାପନ କରିବେ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୋଣାର୍କ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଡିସେମ୍ବର ୨୩ରେ ମାମଲାର ଶୁଣାଣି ସମୟରେ ଏଏସଆଇ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୬ର ନିର୍ଦ୍ଦେଶ ଅନୁସାରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସୁପରି‌ନଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି କୋଣାର୍କ ମନ୍ଦିରର ମରାମତି ଓ ସଂରକ୍ଷଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। ଆମିକସ୍‌କ୍ୟୁରୀ ଇଂଜିନିୟର ଏନ.କେ. ମହାନ୍ତିଙ୍କ ରିପୋର୍ଟ ଓ ଏହା ଉପରେ ଏଏସ୍‌ଆଇର ଦାଖଲ କରିଥିବା ଜବାବ ଉପରେ ଶୁଣାଣି ହୋଇଥିଲା। ମରାମତି ଓ ସଂରକ୍ଷଣ ପ୍ରସଂଗରେ ଏଏସ୍‌ଆଇ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଏସ୍‌ଆଇ ଡିଜି ଡିସମ୍ବେର ୨୩ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି କୋଣାର୍କ ପ୍ରସଂଗରେ ସ୍ଥିତି ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆବେଦନକାରୀ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନ ଉପରେ କୌଣସି ଜବାବ ପ୍ରତିପକ୍ଷ ଦାଖଲ କରି ନାହାନ୍ତି। ଏହି ଆବେଦନ ଉପରେ ଡିସେମ୍ବର ୨୩ରେ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର