ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଉତ୍‌ଖନନ ଶାଖା-୪ ପକ୍ଷରୁ ଅନୁଗୁଳ ଜିଲ୍ଲା ଝଡ଼ିଅମ୍ବାରେ ଆଜିଠାରୁ ଉତ୍‌ଖନନ ଆରମ୍ଭ ହୋଇଛି। ଏଏସ୍‌ଆଇର ଏକ ୧୪ ଜଣିଆ ପ୍ରତିନିଧିଦଳ ଆଜି ସକାଳୁ ଏହି ଅଞ୍ଚଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି। ଏଥିରେ ସ୍ଥାନୀୟ ଅଞ୍ଚଳର ୪୦ରୁ ଅଧିକ ଲୋକ ବି ସାମିଲ ହୋଇଛନ୍ତି। ପ୍ରଥମ ଦିନରେ ଗୋଟିଏ ପରସ୍ତ ମାଟି ଖନନ କରାଯାଇଛି।

Advertisment

ଉତ୍‌ଖନନ ଶାଖା-୪ର ସୁପରିନ୍‌ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଡ. ଡି.ବି. ଗଡ଼ନାୟକ କହିଛନ୍ତି ଯେ ଦିଲ୍ଲୀସ୍ଥିତ ଏଏସ୍‌ଆଇ ମହାନିର୍ଦେର୍ଶକଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଓଡ଼ିଶାରେ ବୌଦ୍ଧ କୀର୍ତ୍ତିରାଜିର ବ୍ୟାପକ ପ୍ରଚାର ପ୍ରସାର ହୋଇଥିବା ନେଇ ପ୍ରାରମ୍ଭିକ ସର୍ଭେରୁ ଜଣାପଡ଼ିଥିଲା। ଯାଜପୁର, କଟକ ପରି ଏଠାରେ ମଧ୍ୟ ପୁରାତନ ବୌଦ୍ଧ ସ୍ତୁପ, ମୂର୍ତ୍ତି ମିଳିବାର ସମ୍ଭାବନା ବି ରହିଛି। ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ ହୋଇଛି।