କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି | ଏଥିରେ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାରର ଅନୁମତି ଦେଇନାହୁଁ ବୋଲି ଏଏସଆଇ ଜଣାଇଛି | ତେବେ ଏଏସଆଇଠାରୁ ଏ ବାବଦରେ ହାଇକୋର୍ଟ ବିସ୍ତୃତ ରିପୋର୍ଟ ମାଗିଛନ୍ତି | ପ୍ରକଳ୍ପ ଯୋଗୁଁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି |ଏଥିସହ ଏଏସଆଇ ସତ୍ୟପାଠରେ ସ୍ପଷ୍ଟ କରାଯାଇଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଭାରପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ କୌଣସି ଏନଓସି ମିଳିନାହିଁ। ସେହିପରି ନ୍ୟାସନାଲ୍ ମନୁମେଣ୍ଟ ଅଥରିଟିଙ୍କୁ ଯେଉଁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଦିଆଯାଇଛି ଓ ବର୍ତ୍ତମାନ ଯେଉଁ ଡିପିଆର୍ ଅନୁସାରେ କାର୍ଯ୍ୟ ହେଉଛି ତାହା ସମାନ ନୁହେଁ। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜୁନ ୨୦ ସୁଦ୍ଧା ଏହା ଉପରେ ଜବାବ ରଖିବାକୁ କହିଛନ୍ତି। ଜୁନ୍ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି |
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିମାସ ଧରି ବାଦବିବାଦ ଲାଗି ରହିଛି। ପରିକ୍ରମା ପ୍ରକଳ୍ପ ଆଳରେ ଆମ୍ସାର ଆଇନକୁ ଖୋଲା ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇ ଆସୁଛି। ନିଷିଦ୍ଧାଞ୍ଚଳରେ ଏକ୍ସାଭେଟର, ଜେସିବି ଆଦି ବଡ଼ ବଡ଼ ଯନ୍ତ୍ରାଂଶରେ ଖନନ ଫଳରେ ଶ୍ରୀମନ୍ଦିର ନାଟମଣ୍ଡପ, ବେହେରଣ ଦ୍ବାର, ଘଣ୍ଟିଦ୍ବାର ଆଦି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହା ବିରୋଧରେ ପୁରୀର ସାମାଜିକ କର୍ମୀ ଦିଲୀପ ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଆମ୍ସାର ଆଇନକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ବେଆଇନ୍ ଖନନ ଓ ନିର୍ମାଣ ଭିତରେ ୮ଶହ ବର୍ଷର ଶ୍ରୀମନ୍ଦିର ବିପଦ ଭିତରକୁ ଠେଲି ହୋଇଯାଇଥିବା ଅଭିଯୋଗ କରି ଏହି ନିର୍ମାଣ ଓ ଖନନ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି। ଗତ ୨୧ ତାରିଖରେ ଶ୍ରୀ ବରାଳଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରତ୍ନତତ୍ତ୍ବ ବିଭାଗକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସନ୍ତା ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ଆବେଦନକାରୀ ଶ୍ରୀ ବରାଳ ମାମଲାର ଶୁଣାଣି ପୂର୍ବରୁ ଖନନ ଓ ନିର୍ମାଣ କାର୍ଯ୍ୟ ସରିଯିବା ଆଶଙ୍କା କରି ମୂଳ ମାମଲା ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ପିଟିସନ୍ ଦାୟର କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ମେ ୯ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/1e234f4d-cb00-4af7-b054-cc52ccbadb2c.jpg)