ଭୁବନେଶ୍ୱର: କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସି.ଆଇ ହାବିଲଦାର ପଦବୀରୁ ଏ.ଏସ୍.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଅନୁମୋଦନ କରିଛନ୍ତି। ମନୋନୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ ଅଣସଂରକ୍ଷିତ ବର୍ଗର ହୋଇଥିବା ବେଳେ ୨୪୩ ଜଣ ଅନୁସୂଚିତ ଜାତି ବର୍ଗର ଅଟନ୍ତି। ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ଏ.ଏସ୍.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନ ଚଳିତ ବର୍ଷ ପ୍ରାରମ୍ଭରେ ହୋଇସାରିଛି।
ଓଡିଶା ପୁଲିସ ତରଫରୁ ଏଥିପାଇଁ ଏକ ଲିଖିତ ପରୀକ୍ଷାର ଆୟୋଜନ କରାଯାଇଥିଲା, ଯେଉଁଥିରେ ଏ.ଏସ୍.ଆଇ ପ୍ରଶିକ୍ଷଣର ଯୋଗ୍ୟତା ହାସଲ ପାଇଁ ସମୁଦାୟ ମାର୍କର ୪୦ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଥିଲା। ଅନୁସୂଚିତ ଜନଜାତି ବର୍ଗଙ୍କ ଏହି ଲିଖିତ ପରୀକ୍ଷା ୭ ବର୍ଷ ପରେ ଓ ଅଣସଂରକ୍ଷିତଙ୍କ ଏହି ଲିଖିତ ପରୀକ୍ଷା ୧୮ ବର୍ଷ ପରେ ଆୟୋଜନ କରାଯାଇଥିଲା।
ମନୋନୀତ ପ୍ରାର୍ଥୀମାନଙ୍କୁ ୪ ମାସର ଏ.ଏସ୍.ଆଇ ପାଠ୍ୟ ଖସଡାରେ ପ୍ରଶକ୍ଷିଣ ପ୍ରଦାନ କରାଯିବ। ଏହି ପ୍ରଶକ୍ଷିଣ କାର୍ଯ୍ୟକମ ୨୦୨୧ ଫେବ୍ରୁଆରି ୧୫ ତାରିଖ ଠାରୁ ଆରମ୍ଭ କରାଯିବ। ଏହି ପ୍ରଶିକ୍ଷଣ ସମାପ୍ତ ପରେ ସେମାନଙ୍କୁ ଏ.ଏସ୍.ଆଇ ପାଠ୍ୟ ଖସଡା ବାବଦରେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ପରେ ସେମାନଙ୍କୁ ଥାନାରେ ୨ମାସର ବ୍ୟବହାରିକ (ବାସ୍ତବ) ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏ.ଏସ୍.ଆଇ ପାଠ୍ୟ ଖସଡା ପ୍ରଶିକ୍ଷଣ ଓ ଥାନାରେ ବାସ୍ତବ ଜ୍ଞାନ ଆହରଣ ପରେ ସେମାନଙ୍କୁ ନିିୟମିତ ଏ.ଏସ୍.ଆଇ ଭାବେ ନିଯୁକ୍ତି ଦିଆଯିବ ଏବଂ ସେମାନଙ୍କୁ ମାମଲା ଅନୁୁସନ୍ଧାନ ଓ ତଦନ୍ତ କରିବାକୁ କ୍ଷମତା ପ୍ରଦାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/e52fdc59-3305-4423-a7f8-2c8e1faff8fc.jpg)