ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ବିଲ୍‌ ପାରିତ

ଭୁବନେଶ୍ୱର : ଆଜି ଗୃହରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲ୍‌ଥ(ଏଆଇପିଏଚ୍‌) ବିଶ୍ୱବିଦ୍ୟାଳୟ ବିଲ୍‌ ବିନା ବାଧାରେ ପାରିତ ହୋଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଆଉ ଏକ ମାଇଲ୍‌ ଖଣ୍ଟ ହେବ। ଜନସାଧାରଣଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଶିକ୍ଷା ଏବଂ ସେବା ଯୋଗାଇଦେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଆଜି ଗୃହରେ ଏହି ବିଲ୍‌ ଆଲୋଚନା ବେଳକୁ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିସାରିଥିଲେ। ଏଣୁ, ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ଅଶ୍ୱିନୀ ପାତ୍ର, ଡା. ରାସେଶ୍ୱରୀ ପାଣିଗ୍ରାହୀ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡା. ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଏହି ବିଲ୍‌ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ସଚେତକ କହିଲେ ଯେ ଲୋକସଂଖ୍ୟା ବୃଦ୍ଧି ପାଉଥିବା ସାଙ୍ଗକୁ ବ୍ୟାଧିସଂଖ୍ୟା ମଧ୍ୟ ବଢ଼ୁଛି। ଏହି ପରିପ୍ରେକ୍ଷୀରେ ଚିକିତ୍ସାଠାରୁ ପ୍ରତିଷେଧକ ଗୁରୁତ୍ୱପୂର୍ଣ୍ଣ। ତେବେ ଏ ନେଇ ଉଚ୍ଚତର ଗବେଷଣା ଆବଶ୍ୟକ। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ଏ ଦିଗରେ ପଦକ୍ଷେପ ନେବ ବୋଲି ଶ୍ରୀ ଶତପଥୀ ଆଶାପ୍ରକାଶ କରିଥିଲେ। ବିଜେଡି ବିଧାୟକମାନେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟରେ ସ୍ୱଳ୍ପ ମୂଲ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯେଉଁ ବିଷୟରେ ଶିକ୍ଷାଦାନର ସୁବିଧା ନାହିଁ, ଏହି ବିଶ୍ୱବିଦ୍ୟାଳୟରେ ସେହି ବିଷୟଗୁଡ଼ିକରେ ଶିକ୍ଷାଦାନ କରିବ। ଜନସ୍ୱାସ୍ଥ୍ୟରେ ଉଚ୍ଚତର ଶିକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ରାଜ୍ୟ ବାହାରକୁ ଯାଉଛନ୍ତି, ସେମାନେ ସ୍ୱଳ୍ପ ଖର୍ଚରେ ଏଠାରେ ଶିକ୍ଷା ପାଇପାରିବେ। ଏହି ବିଶ୍ୱବିଦ୍ୟାଳୟ ଜରିଆରେ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଖୋର୍ଧା ଜିଲ୍ଲାର ଜଟଣୀ ତହସିଲ୍‌ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଅବସ୍ଥାପିତ ହେବ। ବିଶ୍ୱବିଦ୍ୟାଳୟ ପକ୍ଷରୁ ୪ କୋଟି ଟଙ୍କାର ଏଣ୍ଡୋମେଣ୍ଟ ପାଣ୍ଠି ସ୍ଥାପନ କରାଯିବ। ଜନସ୍ୱାସ୍ଥ୍ୟ, ଏପିଡୋମିଓଲୋଜି, ବ୍ୟବହାରିକ ସ୍ୱାସ୍ଥ୍ୟ, ପେସାଗତ ଏବଂ ପାରିବେଶିକ ସ୍ୱାସ୍ଥ୍ୟ, ଗବେଷଣା ଆଦି ବ୍ୟବସ୍ଥା ଏହି ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ହେବ। ଏହା ୟୁଜିସି ସହ ଅନୁବନ୍ଧିତ ହେବ।

ସମ୍ବନ୍ଧିତ ଖବର