ଆସିକା: କେନ୍ଦ୍ର ଗୃହ ମନ୍ତ୍ରାଳୟର ସର୍ଭେରେ ଗଞ୍ଜାମ ଜିଲ୍ଲା ଆସିକା ଆଦର୍ଶ ଥାନା ସର୍ବଭାତୀୟ ସ୍ତରରେ ସୁନାମ ଆଣିଛି। ଦେଶର ପ୍ରଥମ ୩ଟି ସ୍ଥାନରେ ଆସିକା ଥାନା ସାମିଲ ହୋଇଛି। ଓଡ଼ିଶା ପୁଲିସ ଇତିହାସରେ ଓଡ଼ିଶାରୁ ପ୍ରଥମ ଥର ପାଇଁ ଆସିକା ଥାନା ଏହି ସଫଳତା ପାଇଛି। ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ସେବା ପ୍ରଦାନରେ ନିଷ୍ଠା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଜନତାଙ୍କୁ ବ୍ୟବହାର ପ୍ରଦର୍ଶନ, କର୍ତ୍ତବ୍ୟ ପ୍ରତିବଦ୍ଧତା, ଦଣ୍ଡବିଧାନ, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଏବଂ ସମୟସୀମା ପାଳନ, ଇତ୍ୟାଦି ୧୬୫ଟି ବିଷୟରେ ଉତ୍ତମ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛି।
ଆଜି ଆସିକା ଥାନା ଦେଶରେ ଏକ ନମ୍ବର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତ ୨୦ ତାରିଖରେ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହରେ ଟ୍ରଫି ଗ୍ରହଣ କରିବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପତ୍ର ଆସିଥିବା ଜଣାପଡ଼ିଛି। ଏକଦା ସାରା ରାଜ୍ୟରେ ଅତ୍ୟନ୍ତ ସମ୍ବେଦନଶୀଳ ଥାନାର ପରିଚୟ ପାଇଥିବା ଏହି ଥାନା ଇଲାକାରେ ଗତ କିଛିବର୍ଷ ମଧ୍ୟରେ ବହୁତ ପରିବର୍ତ୍ତନ ଆସିଛି। ଆସିକା ଥାନାକୁ ଆଇଏସ୍ଓ ମାନ୍ୟତା ମିଳିବା, ଆଦର୍ଶ ଥାନାର ମାନ୍ୟତା ମିଳିବା, ରାଜ୍ୟରେ ପ୍ରଥମ ହେବା ଓ ପରେ ପରେ ଦେଶରେ ମଧ୍ୟ ପ୍ରଥମ ସ୍ଥାନ ଗ୍ରହଣ କରିବା ସର୍ବଭାରତୀୟ ସ୍ତରରେ ନିଜ ପାଇଁ ପରିଚୟ ସୃଷ୍ଟି କରିଛି।
ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ୨୦୦୫ରେ ପୁଲିସ ଏସ୍ଆଇ ଭାବେ ଆସିକା ଥାନାରେ ଯୋଗ ଦେଇଥିଲେ। ଇତି ମଧ୍ୟରେ ସେ ଆସିକା ପୁଲିସ ଉପଖଣ୍ଡର ଶେରଗଡ଼, ହିଂଜିଳି ଥାନା ଅଧିକାରୀ ରହିବା ପରେ ଅଗଷ୍ଟ ୨୦୧୯ରୁ ଆସିକା ଥାନା ଅଧିକାରୀ ଦାୟିତ୍ବରେ ରହିଛନ୍ତି। ଆସିକା ଥାନା ଦାୟିତ୍ୱ ନେବା ପରେ ସେ ସ୍ଥାନୀୟ ଅଞ୍ଚଳରେ ତ୍ୱରିତ ଅପରାଧ ଦମନ ଏବଂ ପୁଲିସ ଓ ସାଧାରଣ ଲୋକଙ୍କ ମଧରେ ଦୂରତା କମାଇବା ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଥାନାକୁ ଆସୁଥିବା କୌଣସି ମାମଲାରେ ଅଭିଯୋଗକାରୀକୁ ଶୀଘ୍ର ନ୍ୟାୟ ପ୍ରଦାନ ଦିଗରେ ସେ ବହୁ ଆଗରେ ରହିଛନ୍ତି। ନିଜର ଦକ୍ଷତା ପାଇଁ ସେ ୨୦୧୧ରେ ସର୍ବଶ୍ରେଷ୍ଠ ଅଧିକାରୀ, ୨୦୧୨ରେ ଡିଜିପି ମେଡାଲ୍, ୨୦୧୫ରେ ସେବା ମେଡାଲ୍, ୨୦୨୦ରେ ମୁଖ୍ୟମନ୍ତ୍ରୀ ମେଡାଲ୍ରେ ସମ୍ମାନିତ ହୋଇଛନ୍ତି। ଗତ କିଛିଦିନ ପୂର୍ବେ ଓଡ଼ିଶା ସରକାରଙ୍କ ଷ୍ଟେଟ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ପକ୍ଷରୁ ପ୍ରକାଶିତ ହୋଇଥିବା ଓ ପ୍ରଗତି ଡ୍ୟାସ୍ବୋର୍ଡ ତାଲିକାରେ ଆସିକା ରାଜ୍ୟର ଏକ ନମ୍ବର ଥାନା ତାଲିକାରେ ସାମିଲ ହୋଇଥିଲା।