ଆସିକା: ସ୍ବତନ୍ତ୍ର ଋଷିକୁଲ୍ୟା ଜିଲ୍ଲା ଗଠନ ଓ ସଦରମହକୁମା ସ୍ଥାପନ ଦାବିରେ ଆସିକାରେ ଆଜି ୧୨ ଘଣ୍ଟିଆ ବନ୍ଦପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆନ୍ଦୋଳନକାରୀମାନେ ସହରକୁ ସଂଯୋଗ କରୁଥିବା ପ୍ରବେଶପଥ ପାକେଲାପଲ୍ଲୀ ଛକ, ମୁକୁନ୍ଦପୁର ଛକ ଓ କାଳଷଣ୍ଢପୁର ଛକରେ ରାସ୍ତା ଅବରୋଧ ସହ ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଆସିକା ଓକିଲ ସଂଘର କର୍ମକର୍ତ୍ତା ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଦିନତମାମ ବନ୍ଦରେ ସାମିଲ ହୋଇଥିଲେ। ସେହିପରି ସହରର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍, ସମବାୟ ବ୍ୟାଙ୍କ୍, ବୀମା କାର୍ଯ୍ୟାଳୟ, ଡାକମଣ୍ଡଳ ଓ ମୁଖ୍ୟ ଡାକଘର ଆଗରେ ଧାରଣା ଦିଆଯାଇଥିଲା। ଫଳରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବା ସହ ଅଦାଲତରେ ଦୈନଦିନ କାର୍ଯ୍ୟ ବ୍ୟାହତ ହୋଇଥିଲା। ଏହାସହ ବିଭିନ୍ନ ଅଫିସ୍ ଏବଂ ଶିକ୍ଷାନୁଷ୍ଠାନ ବି ବନ୍ଦ ରହିଥିଲା।
ଓକିଲ ସଂଘ ସଭାପତି ରବୀନ୍ଦ୍ରନାଥ ଶର୍ମା, ସମ୍ପାଦକ ନାରାୟଣ ମୁନି, ପୂର୍ବତନ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ସନ୍ତୋଷ କୁମାର ପାଣିଗ୍ରାହୀ, ଉପସଭାପତି ଛବିଳ ରାମ ମିଶ୍ରଙ୍କ ସମେତ ସମୀର ପ୍ରଧାନ, ତାରିଣୀ ସେନାପତି, ଡ.ଶ୍ୟାମଘନ ବିଶ୍ୱାଳ, ବସ୍ ମାଲିକ ସଂଘର ସନ୍ତୋଷ କୁମାର ପୋଲାଇ ଓ ବାମପନ୍ଥୀ ଶ୍ରମିକ ସଂଗଠନର ଦେବହରି ମହାନ୍ତି ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ଏଥିରେ ୩୮ଟି ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ସନ୍ଧ୍ୟାରେ ପୁରୁଣା ବସ୍ଷ୍ଟାଣ୍ଡ୍ରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ବହୁ ବକ୍ତା ଋଷିକୁଲ୍ୟା ଜିଲ୍ଲା ଗଠନ ଓ ସଦରମହକୁମା ସ୍ଥାପନ ଦାବି ଯଥାର୍ଥତା ଉପରେ ଆଲୋକପାତ କରିଥିଲେ।
ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ୧୯୯୨ ମସହିାରୁ ଆସିକା ଓକିଲ ସଂଘ ଦାବି ଉପସ୍ଥାପନ କରିଆସୁଛି। ଏଥିପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିବା ସହ ବିଭିନ୍ନ ସ୍ତରରେ ସରକାରଙ୍କ ସହ ଆଲୋଚନା କରାଯାଇଛି। ଏଠାରେ ଏଡିଜେ କୋର୍ଟ, ଦେୱାନୀ ଓ ଫୌଜଦାରୀ କୋର୍ଟ, ଡାକ୍ତରଖାନା, ୧୫ରୁ ଅଧିକ ବ୍ୟାଙ୍କ୍ ସମେତ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଅଫିସ୍ ରହିଛି। ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଆସିକା ସହରର ଏକ ସ୍ବତନ୍ତ୍ରତା ରହିଛି। ଦାବି ପୂରଣ ଦିଗରେ ରାଜ୍ୟ ସରକାର ତତ୍ପରତା ନଦେଖାଇଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।