ଅଗ୍ନି ଅନୁକୂଳକୁ ମାସେ, ଆସିକା ଚିନିକଳରେ ଆଖୁ‌ ପେଡ଼ା ନୋହିଲା

୧୬ ସୁଦ୍ଧା ଆରମ୍ଭ ନ‌ ହେଲେ ଆଖୁଚାଷୀ ସଂଘର ଧାରଣା

 

ଆସିକା : ଅଗ୍ନି ଅନୁକୂଳକୁ ମାସେ ବିତିଯାଇଥିଲେ ବି ଏଯାଏ ଗଞ୍ଜାମ ଜିଲ୍ଲା ଆସିକା ଚିନିଶିଳ୍ପରେ ଆଖୁ ପେଡ଼ା ଆରମ୍ଭ ହୋଇପାରିନି।  ସବୁବର୍ଷ ଭଳି ଚଳିତବର୍ଷ ଗତ ମାସ ୧୧ ତାରିଖରେ ପ୍ରାଥମିକ ପ୍ରକ୍ରିୟା ସ୍ବରୂପ ବଏଲର୍ ପ୍ଲାଣ୍ଟରେ ବିଧିବଦ୍ଧ ପୂଜାର୍ଚ୍ଚନାପୂର୍ବକ ଅଗ୍ନି ଅନୁକୂଳ ହୋଇଥିଲା। କିନ୍ତୁ ପରିତାପର ବିଷୟ ହେଉଛି, ମାସେ ବିତିଯାଇଥିଲେ ମଧ୍ୟ ଆଖ‌ୁ ପେଡ଼ା ଆରମ୍ଭ ହୋଇନି। ଯାହାକି ଚିନିଶିଳ୍ପ ଇତିହାସରେ ପ୍ରଥମ ବୋଲି ମତପ୍ରକାଶ ପାଇଛି।  ଚଳିତ ବର୍ଷ ପ୍ରାୟ ୫୦ ହଜାର ଟନ୍ ଆଖୁ ପେଡ଼ା ଯିବା ଯୋଜନା ରହିଥିଲା।  ବର୍ତ୍ତମାନ ଆଖୁ ପେଡ଼ା ହେଉ ନଥିବାରୁ ସିଜନାଲ୍ ଓ ଏନଏମଆର କର୍ମଚାରୀ ଶିଳ୍ପରେ କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ କାମ ନଥିବା  ହେତୁ ହାତ ବାନ୍ଧି ବସିଛନ୍ତି। ଆଉ ବଏଲର୍‌ରେ ଦୈନିକ ହଜାର ହଜାର ଟଙ୍କାର ଜାଳେଣି ବ୍ୟବହାର ହେଉଛି। ଏହାମଧ୍ୟମରେ ଶିଳ୍ପକୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡ଼ିଛି।
ପରିବହନ ନେଇ ସମସ୍ୟା କାରଣରୁ ଆଖୁ ପେଡ଼ା ଆରମ୍ଭ ହୋଇପାରୁନି। ଡିଜେଲ୍ ଦର ବୃଦ୍ଧି ହେତୁ ପରିବହନରେ ବ୍ୟବହୃତ ଟ୍ରକ୍ ଭଡା ବଢ଼ାଇବାକୁ ଟ୍ରକ୍‌ ମାଲିକ ମାନେ ଦାବି କରିଥିଲେ। ଏହା ପରେ ଟ୍ରକ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳ ଭଡ଼ାକୁ ୧୬ ପ୍ରତିଶତ ବୃଦ୍ଧି କରିଛନ୍ତି। କିନ୍ତୁ ତାହା ଏଯାଏ ଲାଗୁ ହୋଇପାରିନି।
ଅନ୍ୟପକ୍ଷରେ ଆଖୁ ପେଡ଼ା ଆରମ୍ଭ ପ୍ରସଙ୍ଗ ନେଇ ଆଖୁଚାଷୀ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିବହନ ଭଡ଼ା ଓ ଶ୍ରମିକ ମଜୁରିକୁ ଚିନିଶିଳ୍ପ ବହନ କରି ଶୀଘ୍ର ଆଖୁ ପେଡ଼ା ଆରମ୍ଭ କରିବାକୁ କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି।  ଆସନ୍ତା ୧୬ତାରିଖ ମଧ୍ୟରେ ଆଖୁ ପେଡ଼ା ଆରମ୍ଭ ନହେଲେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ବୈଠକରେ ବରିଷ୍ଠ ଆଇନଜୀବୀ ଲଳିତମୋହନ ଦାଶ, ନାରାୟଣ ଜେନା, ପୂର୍ଣ୍ଣ ବରାଡ଼, ସନ୍ନ୍ୟାସୀ ନାହାକ ଓ  ରାଘବ ସିୟ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଚାଷୀଙ୍କ ସହିତ ଆଲୋଚନା ନକରି ଆଖୁ ଦର ମାତ୍ର ୧୦ଟଙ୍କା ବୃଦ୍ଧି କରିବା ଅତ୍ୟନ୍ତ କଷ୍ଟ ଦେଉଛି ବୋଲି ଚାଷୀ ସଂଘର ସଭାପତି ସମୀର ପ୍ରଧାନ କହିଛନ୍ତି।  ଏଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଇଥିଲେ ହେଁ, ଏଯାଏ ଦାବି ବିଚାରାଧୀନ ଅଛି। ପୂର୍ବରୁ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକ୍ ଅନ୍ତର୍ଗତ ୮୦୦୦ ହେକ୍ଟର ଜମିରେ ହଜାର ହଜାର ଚାଷୀ ଆଖୁ ଚାଷ କରୁଥିଲେ। କିନ୍ତୁ ଚିନିଶିଳ୍ପ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅଣଦେଖା କାରଣରୁ ଚାଷୀ ଆଖୁଚାଷରୁ ମୁହଁ ଫେରାଇଦେଲେଣି। ଗତ ବର୍ଷ ୭୦ ହଜାର ଟନ୍‌ରୁ ଅଧିକ ଆଖୁ ପେଡ଼ା ହୋଇଥିବା ବେଳେ ଚଳିତ ବର୍ଷ ଏହା ୪୦ ପ୍ରତିଶତକୁ କମିବା ଆଦୌ ଶୁଭଙ୍କର ନୁହେଁ। ପ୍ରାପ୍ୟ ପ୍ରଦାନରେ ‌ଅହେତୁକ ବିଳମ୍ବ ଓ ପ୍ରୋତ୍ସାହନ ଅଭାବ କାରଣରୁ ଚାଷୀ ଆଖୁଚାଷ ପ୍ରତି ବିମୁଖ ହେଉଥିବା ଶ୍ରୀ ପ୍ରଧାନ କହିଛନ୍ତି।
ସମ୍ବନ୍ଧିତ ଖବର