ଆସିକା: ସୁନା, ରୁପା ଚୋରା ବେପାରର ହବ୍‌!

ଆସିକା : ମଦ କାରବାର ପରେ ଆସିକାରେ କୋଟି କୋଟି ଟଙ୍କାର ବେଆଇନ ସୁନାରୁପା ମଧ୍ୟ ବେପାର ହେଉଛି। କଟକ ଜିଲ୍ଲା ଟାଙ୍ଗୀ ଟୋଲ୍‌ଗେଟ୍‌ ନିକଟରେ ୧୩୯ କେଜି ୬୪୦ ଗ୍ରାମ୍‌ ରୁପା ଇଟା ଓ ୧୨ ଲକ୍ଷ ଟଙ୍କା ଜବତ ପରେ ଏବେ ଆସିକା ଉପରେ ନଜର କେନ୍ଦ୍ରୀଭୂତ ହୋଇଛି।

ବ୍ରହ୍ମପୁର ଭଳି ଆସିକାରେ ଛତୁ ଫୁଟିବା ଭଳି ଅଳଙ୍କାର ଦୋକାନ ​ଖୋଲିଥିବା ବେଳେ ସୁନା କିଣାବିକା ଅବାଧରେ ଚାଲିଛି। ସୁନା ଦୋକାନୀ ଟିକସ ଫାଙ୍କି ବାହାର ରାଜ୍ୟରୁ ବ୍ୟବସାୟୀଙ୍କଠାରୁ ସୁନା ଆଣି ବ୍ୟବସାୟ କରୁଛନ୍ତି। ମୁମ୍ବାଇର ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ସୁନା ଓ ରୁପା ଆଣି ସ୍ଥାନୀୟ ବେପାରୀଙ୍କୁ ବିକି ନଗଦ ଟଙ୍କା ନେଉଛନ୍ତି। ଅନ୍ୟପକ୍ଷରେ, ଏରଗୋଲା (ଯାଯାବର ଶ୍ରେଣୀୟ)ଙ୍କଠୁ ଚୋରି ସୁନା କିଣାଯାଉଛି। ଏହାକୁ ତରଳାଇ ବାହାରେ ବିକ୍ରି କରାଯାଉଛି। ବାଣିଜ୍ୟକର ବିଭାଗ ପକ୍ଷରୁ ଚଢ଼ଉ ହେଉ ନଥିବାରୁ ବ୍ୟବସାୟୀମାନେ ଜିଏସ୍‌ଟି ଫାଙ୍କୁଛନ୍ତି। ସୁନାର ପ୍ରକୃତ ମାପ ଓ ହଲମାର୍କ ଲାଗୁନି। ବିଭିନ୍ନ ମାଧ୍ୟମରେ ଗ୍ରାହକଙ୍କୁ ଠକି ବେପାରୀ ମାଲାମାଲ୍ ହେଉଛନ୍ତି।

News18

ସଂପ୍ରତି ଚୋରା ସୁନା ଓ ରୁପା ଅଳଙ୍କାର ବିକ୍ରି ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ଜୀବିକା ପାଲଟିଛି। ପୂର୍ବରୁ ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଆସିକା ସହରର କିଛି ଅଳଙ୍କାର ବ୍ୟବସାୟୀ ଗିରଫ ହୋଇଥିବାର ନଜିର୍ ରହିଛି। ଆଜି କଟକ ଟାଙ୍ଗି ଟୋଲ୍‌ଗେଟରୁ ଏତେ ପରିମାଣର ରୁପାଇଟା ଓ ଟଙ୍କା ମିଳିବା ପଛରେ ଆସିକାରେ ଏକ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ, ଏହି ଘଟଣା ସାମ୍ନାକୁ ଆସିବା ପରେ ସୁନାରୁପା ବେପାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର