ଦୁର୍ଘଟଣା ନେଇ ଅପପ୍ରଚାର, ଅସୀମା ପଣ୍ଡାଙ୍କ କ୍ଷୋଭ

ଭୁବନେଶ୍ବର : ଦୁର୍ଘଟଣାରେ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟିକା ଅସୀମା ପଣ୍ଡା ଗୁରୁତର ଆହତ ହୋଇଛନ୍ତି ବୋଲି ମିଛ ଖବର ଓ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଅସୀମା ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଏକ ରାସ୍ତା ଦୁର୍ଘଟଣାରେ ତାଙ୍କ ଭାଇ ଆହତ ହୋଇଛନ୍ତି। କିନ୍ତୁ ସେ ଘରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅଥଚ ସେ ଆହତ ହୋଇଛନ୍ତି, ଏପରିକି ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ମିଛ ଖବର ପ୍ରସାରଣ କରାଯାଇଛି। କୌଣସି ଆଗଧାଡ଼ିର ଗଣମାଧ୍ୟମ ଏଭଳି ଗୁଜବ ପ୍ରଚାର କରିନାହାନ୍ତି। ବରଂ କେତେକ ଛୋଟଛୋଟ ସଂସ୍ଥା ଅପପ୍ରଚାର କରି ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। ଓଡ଼ିଆ ଶ୍ରୋତାଙ୍କ ଠାରୁ ଅନେକ ଭଲ ପାଇବା ମିଳିଛି। କିନ୍ତୁ ଯେଉଁମାନେ ଏଭଳି ଅପପ୍ରଚାର କରୁଛନ୍ତି ସେମାନେ‌ ସେଥିରୁ ନିବୃତ୍ତ ରୁହନ୍ତୁ। ଏବେ ଖରାପ ବେଳା ଚାଲିଛି। ଏ ସମୟରେ ମନୋବଳ ବଢ଼ାଇବା ପରିବର୍ତ୍ତେ ମାନସିକ ଯନ୍ତ୍ରଣା ନଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଅନ୍ୟଥା ସେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର