କଟକ: ପୁରୀ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ। କାନ୍ଥରେ ବହୁ ଲମ୍ବା ଫାଟ ରହିଛି। ଛାତ, କାନ୍ଥ ଓ ଚଟାଣ ଚାରିଆଡ଼େ ସନ୍ତସନ୍ତିଆ ଅବସ୍ଥା। କାନ୍ଥରୁ ଖସିଥିବା କେତେକ ପଥର ବିକ୍ଷିପ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଥିବା ୨୦୧୮ରେ ଅନୁଧ୍ୟାନ ସମୟରେ ଦେଖିବାକୁ ମିଳିଥିଲା। ପ୍ରାୟ ସମସ୍ତ ସ୍ଥାନରେ କାନ୍ଥରୁ ପଲସ୍ତରା ଅଲଗା ହୋଇଗଲାଣି। ଫମ୍ପା ବା ପୋଲା ଶବ୍ଦ ହେଉଛି। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତୁରନ୍ତ ଭିତର ରତ୍ନଭଣ୍ଡାରର ଯାଞ୍ଚ କରାଯିବା ସହ ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଜୁଲାଇ ୫ର ନିର୍ଦ୍ଦେଶ ପାଳନ କରି ଏଏସ୍ଆଇ ଡିଜି ଓ ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କ ତରଫରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରତ୍ନଭଣ୍ଡାର ଭିତର ସ୍ଥିତି ଅନୁଧ୍ୟାନ ପ୍ରସଂଗରେ ୨୦୧୮, ମାର୍ଚ୍ଚ ୨୨ରେ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୨୬ ଓ ୨୭ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବାକୁ ଏଏସ୍ଆଇକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁମତି ଦେବ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ୨୦୧୮, ଏପ୍ରିଲ ୧୦ରେ ଏଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ଭିତର ଅନୁଧ୍ୟାନ ପାଇଁ ଏକ ବୈଷୟିକ ବିଶେଷଜ୍ଞ କମିଟି ପ୍ରଫେସର ଜି.ସି ମିତ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା। ୨୦୧୮, ମାର୍ଚ୍ଚ ୨୬ ଓ ଏପ୍ରିଲ୍ ୮ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିଥିଲା। ସତ୍ୟପାଠ ସହିତ ସଂଲଗ୍ନ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଅନୁଧ୍ୟାନ ସମୟରେ ରତ୍ନଭଣ୍ଡାରର ନିର୍ମାଣ ଓ ଭିତରର ଆକାର ଉପଲବ୍ଧ ନଥିଲା। ପାଖାପାଖି ତ୍ରୟୋଦଶ-ଚତୁର୍ଦ୍ଦଶ (୧୩-୧୪) ଶତାବ୍ଦୀରେ ଏହା ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ଏହାକୁ ଅମୁହାଁ ମନ୍ଦିର ବୋଲି ମଧ୍ୟ କୁହାଯାଏ। ୨୦୧୮, ମାର୍ଚ୍ଚ ୨୬ରେ ରତ୍ନଭଣ୍ଡାର ବାହାରପଟୁ କମିଟି ଅନୁଧ୍ୟାନ କରିଥିଲା। ପୃଷ୍ଠଭାଗ ଧଳା ସଫେଇ ହୋଇଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପଲସ୍ତରା ଦୁର୍ବଳ ହୋଇ ପଡ଼ିଥିବା ବେଳେ ଫମ୍ପା ଶବ୍ଦ ହେଉଥିଲା। ଏହି ମନ୍ଦିର ପ୍ରାୟ ୪୦ ଫୁଟ୍ ଉଚ୍ଚ। କାନ୍ଥରେ ବହୁ ଲମ୍ବା ଫାଟ ରହିଛି। ଛାତ, କାନ୍ଥ ଓ ଚଟାଣ ଚାରିଆଡ଼େ ସନ୍ତସନ୍ତିଆ ଅବସ୍ଥା। କାନ୍ଥରୁ ଖସିଥିବା କେତେକ ପଥର ବିକ୍ଷିପ୍ତ ଅବସ୍ଥାରେ ଚଟାଣରେ ପଡ଼ି ରହିଛି।
ଭିତରକୁ ଯାଇ ଯାଞ୍ଚ ପରେ ରତ୍ନଭଣ୍ଡାର ଢାଞ୍ଚାଗତ ସ୍ଥିତି ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇ ପାରିବ। ତେଣୁ ରତ୍ନଭଣ୍ଡାର ଭିତରକୁ ଯାଇ ଉପଯୁକ୍ତ ଆଲୋକ ବ୍ୟବସ୍ଥା ଭିତରେ ଅଭ୍ୟନ୍ତରୀଣ ଢାଞ୍ଚା, ପ୍ରତ୍ନତାତ୍ତ୍ବିକ ବିସ୍ତୃତ ବିବରଣୀ ଅନୁଧ୍ୟାନ ପାଇଁ ଅନୁମତି ଦିଆଯାଉ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଆବଶ୍ୟକ ଶିଡ଼ି, ସୁରକ୍ଷାକର୍ମୀଙ୍କୁ ଉପଲବ୍ଧ କରିବାକୁ ରିପୋର୍ଟରେ କୁହାଯାଇଥିଲା। ରକ୍ଷଣାବେକ୍ଷଣ ଓ ମରାମତି ଆବଶ୍ୟକ କି ନାହିଁ, ତାହା ଜାଣିବା ପାଇଁ ରତ୍ନଭଣ୍ଡାର ଭିତର ବୈଷୟିକ ବିଶେଷଜ୍ଞ କମିଟି ଦ୍ବାରା ଯାଞ୍ଚ ପାଇଁ କେବେ ବି ଏଏସ୍ଆଇକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁମତି ଦେଇନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କମିଟି ପରାମର୍ଶ ଅନୁସାରେ ରତ୍ନଭଣ୍ଡାର ଭିତର ଯାଞ୍ଚ ପାଇଁ ୨୦୨୨, ଅଗଷ୍ଟ ୮ରେ ଏଏସ୍ଆଇ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରସଂଗରେ କିଛି ପଦକ୍ଷେପ ନିଆଯାଇନାହିଁ। ଏହି ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ନିରାପତ୍ତା ପାଇଁ ରତ୍ନଭଣ୍ଡାର ଭିତର କମିଟି ଦ୍ବାରା ଯାଞ୍ଚ ହେବା ଆବଶ୍ୟକ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏହି ସତ୍ୟପାଠ ପୁରୀ ସର୍କଲ ଏଏସ୍ଆଇ ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡି.ବି. ଗଡ଼ନାୟକଙ୍କ ତରଫରୁ ଦାଖଲ କରାଯାଇଛି।
ଆଜି ସତ୍ୟପାଠ ଦାଖଲ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଗଡ଼ନାୟକ କହିଥିଲେ ଯେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ୨୦୧୮ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାହାରୁ ରତ୍ନଭଣ୍ଡାର ଅନୁଧ୍ୟାନ କରାଯାଇଥିଲା। ରତ୍ନଭଣ୍ଡାର ଭିତର ସ୍ଥିତି ଭଲ ନଥିବା ଜଣାପଡ଼ିଥିଲା। ଭିତରକୁ ଯାଇ ଯାଞ୍ଚ କରାଯିବା ଆବଶ୍ୟକ ବୋଲି କମିଟି କହିଥିଲା। କିନ୍ତୁ ଏହା ଭିତରେ ୫ ବର୍ଷ ବିତି ଯାଇଛି। ରତ୍ନଭଣ୍ଡାର ସଂରକ୍ଷଣ ନିହାତି ଦରକାର ବୋଲି ସେ କହିଥିଲେ।
ଆଜି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ମାମଲାର ଶୁଣାଣି ଆସନ୍ତା ୨୨ ତାରିଖକୁ ଘୁଞ୍ଚିଛି। ଜୁଲାଇ ୫ର ନିର୍ଦ୍ଦେଶ ପାଳନ କରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିନ୍ତୁ ମାମଲାରେ କୌଣସି ଜବାବ ଦାଖଲ କରାଯାଇ ନଥିବା ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ରତ୍ନଭଣ୍ଡାର ସଂପର୍କିତ ଜନସ୍ବାର୍ଥ ଆବେଦନର ହାଇକୋର୍ଟ ଜୁଲାଇ ୫ରେ ଶୁଣାଣି କରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସନ, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ମହାନିର୍ଦ୍ଦେଶକ ଓ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ନୋଟିସ୍ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ ସହାୟତା କରୁଛନ୍ତି।