ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଲେଖକ ଗଣେଶ ପ୍ରସାଦ ପରିଜାଙ୍କ ଚତୁର୍ବିଂଶ ସ୍ମୃତିଦିବସ ଅବସରରେ ‘ଶାରଳା ସ୍ମାରକ’ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ହୋଇଛି ‘ଗଣେଶ ପରିଜା ସ୍ମାରକୀ ବକ୍ତୃତା ଓ ସମ୍ମାନ ପ୍ରଦାନ ଉତ୍ସବ’। ଏହି ଅବସରରେ ‘ସଂସ୍କୃତି ଓ ସଂପୃକ୍ତି’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର କହିଲେ, ସଂସ୍କୃତିର ପରିସର ବ୍ୟାପକ ଓ ବିସ୍ତୃତ। ଆମେ ହୁଏତ ଶ୍ରୀ ଜଗନ୍ନାଥ ସଂସ୍କୃତି, ବୌଦ୍ଧ ସଂସ୍କୃତି, ତନ୍ତ୍ର ସଂସ୍କୃତି କି ଲୋକ ସଂସ୍କୃତି କଥା କହୁଛେ, ତେବେ ସଂସ୍କୃତି ସୀମିତ କି ସଂକୁଚିତ ନୁହେଁ। ଏହା ପ୍ରଶସ୍ତ ଓ ପରିବ୍ୟାପ୍ତ।

Advertisment

‘ଶାରଳା ସ୍ମାରକ’ର କାର୍ଯ୍ୟକାରୀ ସଭାପତି ତଥା ଚିକିତ୍ସା ବିଜ୍ଞାନୀ ପ୍ରଫେସର ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଂଧ୍ୟାକୁ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ ଗଣେଶ ପ୍ରସାଦ ପରିଜା ଓଡ଼ିଆ ସାହିତ୍ୟକୁ ଅନେକ କିଛି ଦେଇଛନ୍ତି ବୋଲି କହିଥିଲେ। ବିଶେଷତଃ ଜଗନ୍ନାଥ ସଂସ୍କୃତି, ଶକ୍ତି ଉପାସନା ଓ ବୌଦ୍ଧ ଧର୍ମ ସମ୍ପର୍କରେ ତାଙ୍କର ପୁସ୍ତକଗୁଡ଼ିକ ବେଶ୍‌ ଲୋକପ୍ରିୟ। ଅନ୍ୟମାନଙ୍କ ମଧ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଶରତ ଚନ୍ଦ୍ର ଭଦ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦେବଶିଷ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସଂସ୍କୃତି ଗବେଷକ ଅସିତ୍ ମହାନ୍ତିଙ୍କୁ ଓଡ଼ିଶାର ସଂସ୍କୃତି ଉପରେ ଗଭୀର ଓ ନିରନ୍ତର ଗବେଷଣା ପାଇଁ ‘ଷଷ୍ଠ ଗଣେଶ ପରିଜା ସମ୍ମାନ ୨୦୨୩’ ପ୍ରଦାନ କରାଯାଇଥିଲା। ଗଣେଶ ପ୍ରସାଦ ପରିଜାଙ୍କ ପୁତ୍ର ଦେବ ପ୍ରସାଦ ପରିଜା ପିତାଙ୍କର ସ୍ମୃତି ଚାରଣ କରିଥିଲେ। ଅପୂର୍ବ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଗଣେଶ ପ୍ରସାଦ ପରିଜାଙ୍କ ପ୍ରଖ୍ୟାତ ପୁସ୍ତକ ‘ଯୁଗେଯୁଗେ ଜଗନ୍ନାଥ’ର ଗଳ୍ପ ‘ଶ୍ରୀଜଗନ୍ନାଥ ଓ କୋଟିପତି’କୁ ପଢ଼ି ଶୁଣାଇଥିଲେ କଣ୍ଠଶିଳ୍ପୀ ତଥା ସାହିତ୍ୟକା ଛନ୍ଦା ମିଶ୍ର।