ଭୁବନେଶ୍ବର : ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜୀବ ଭବନରେ ପରିଷଦର କାର୍ଯ୍ୟାଳୟରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପରେ ପରିଷଦର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।
ସମୀକ୍ଷା ବେଳେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ପରିଷଦର ମୁଖ୍ୟ ଲକ୍ଷ୍ୟ ହେଲା ରାଜ୍ୟ ଭିତରେ ଆଞ୍ଚଳିକ ବିକାଶରେ ସନ୍ତୁଳନ ରକ୍ଷା କରିବା। ତେଣୁ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ହାତକୁ ନେବା, ତାହାକୁ ସମୟସୀମା ମଧ୍ୟରେ ଶେଷ କରିବା ଓ ଲୋକଙ୍କୁ ଶୀଘ୍ର ସେବା ଯୋଗାଇବା ଉପରେ ପରିଷଦ ଅଧିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବ। ମାଇକ୍ରୋ ଲେଭଲ୍ ସର୍ଭେ ରିପୋର୍ଟ ଭିତ୍ତିରେ ବେସ୍ ଲାଇନ୍ ଡାଟା ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫାଇଲ୍ କାମ ଶୀଘ୍ର କରିବା ଓ ସ୍ବଚ୍ଛତାର ସହ ନିଷ୍ପତ୍ତି ନେବା ପାଇଁ ୫-ଟି ନିୟମକୁ କଡ଼ାକଡ଼ି କରିବା ଉପରେ ଶ୍ରୀ ତ୍ରିପାଠୀ ଗୁୂରୁତ୍ବରୋପ କରିଥିଲେ। ଆବଶ୍ୟକ ପଡ଼ିଲେ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ପ୍ରଦାନ କରାଯିବ ବୋଲି େସ କହିଥିଲେ।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପରିଷଦ ଅଧୀନରେ ଆସୁଥିବା ୧୦ଟି ଜିଲ୍ଲାରେ ପ୍ରାୟ ତିନି ହଜାର କ୍ଷୁଦ୍ର ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ୍-ଡିଭିଜନ୍। ଲୋକଙ୍କ ଜୀବନ ଓ ଜୀବିକା ଉପରେ ନିଜର ପ୍ରଭାବ ପକାଉଥିବା ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠି ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପରିଷଦର ସିଇଓ ସରୋଜ କୁମାର ପଟେଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/m22-1.jpg)