ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା‌ ଜଣାଇଲେ ଅସିତ
କୋଭିଡ୍‌ ମୁକାବିଲା ନେଇ ସନ୍ତୋଷ ପ୍ରକାଶ କଲେ
ଟିମ୍‌ ୱାର୍କ ଦ୍ବାରା ହିଁ ‌ବହୁ କାର୍ଯ୍ୟରେ ସଫଳତା ମିଳିଛି

Advertisment

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଅବସର ଗ୍ରହଣ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ। ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ ସେ ଏହି ପଦବିରେ କାର୍ଯ୍ୟ କରିବେ। ସେହିପରି ନୂଆ ଉନ୍ନୟନ କମିସନର୍‌ ଭାବେ ପି କେ ଜେନା ମଧ୍ୟ ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

୨୦୧୯ ଅଗଷ୍ଟ ମାସରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୭ ମାସ ସେ ପ୍ରଶାସନର ଏହି ସର୍ବୋଚ୍ଚ ପଦବିରେ କାର୍ଯ୍ୟ କରିଥିଲେ। ଅବସର ପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ବିଶେଷ କରି ଆଞ୍ଚଳିକ ବିକାଶ, କୃଷି, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ। ଖୁବ୍ ଶୀଘ୍ର ସେ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ।

ଅବସର ଗ୍ରହଣ ଅବ୍ୟବହିତ ପୂର୍ବରୁ ଶ୍ରୀ ତ୍ରିପାଠୀ ତାଙ୍କ କାର୍ଯ୍ୟକାଳର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସେ କହିଛନ୍ତି ଯେ କ୍ୟାରିୟର୍‌ର ୩୪/୩୫ ବର୍ଷ ପରେ ମୁଖ୍ୟ ଶାସନ ସଚିବ ପଦବିରେ ଯୋଗ ଦେବାର ସୁଯୋଗ ମିଳିଥିବାରୁ ମୁଁ ଖୁସି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ କୃତଜ୍ଞ ଯେ ସେ ମୋ କ୍ୟାରିୟର୍‌ର ଶେଷରେ ସବୁଠାରୁ ଉଚ୍ଚ ସୋପାନରେ ମୋତେ ଅଧିଷ୍ଠିତ କରାଇଥିଲେ। ମୁଁ କାର୍ଯ୍ୟରେ ଯୋଗ ଦେଲା ବେଳେ କହିଥିଲି ଯେ ସରକାରୀ କାର୍ଯ୍ୟାଳୟରେ ଫାଇଲ୍‌ ରକେଟ୍‌ ଗତିରେ ଚାଲିବ।

ମୋ ସମୟ ଭିତରେ କୌଣସି ସମୟରେ ଫାଇଲ୍‌ କୌଣସି ଜାଗାରେ ଅଟକି ନାହିଁ। କିଛି ନିଷ୍ପତ୍ତି ସରକାରଙ୍କ ଠାରୁ ଅତି ଶୀଘ୍ର ଅଣାଯାଇପାରିଛି। ମୁଁ ଏ କଥା କହୁ ନାହିଁ, ମୋ ସହକର୍ମୀମାନେ କହୁଛନ୍ତି। ଅମଲାତନ୍ତ୍ରରେ ବହୁ ସୁଯୋଗ ଓ ସମ୍ଭାବନା ରହୁଛି। ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ଅଣାଯାଇପାରିବ। ଏ ଦିଗରେ ମଧ୍ୟ ଆମେ ସଫଳ ହୋଇଛୁ।

କରୋନା ମୁକାବିଲାରେ ପ୍ରଶାସନର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଗତ ୯ ମାସ ହେଲା ଆମେ ଏକ ମହାବ୍ୟାଧି ବିରୋଧରେ ଯୁଦ୍ଧ କରି ଆସୁଛୁ। ଗତ ୧୦୦ ବର୍ଷ ଭିତରେ ଏପରି ସମସ୍ୟା ମାନବ ଜାତି ସାମ୍ନା କରି ନ ଥିଲା। ସାରା ବିଶ୍ବରେ ଏହାର ମୁକାବିଲା ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ଆମେ ଯେଉଁ ପଦ‌େକ୍ଷପ ସବୁ ନେଲୁ ତାହା ସଫଳ ହୋଇଛି। ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟ ଓ ବିଦେଶରେ ଡାକ୍ତରମାନେ ରୋଗୀଙ୍କୁ ଫେରାଇ ଦେଉଥିଲେ। କାରଣ ସେଠାରେ ବେଡ୍‌ ମିଳୁ ନ ଥିଲା। କିନ୍ତୁ ଆମ ରାଜ୍ୟରେ ସେପରି ହୋଇ ନ ଥିଲା। ଆମ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିଶ୍ବ ସ୍ତରର ନ ହେଲେ ବି ଆମେ ରୋଗୀ ସେବାରେ ଅବହେଳା କରି ନାହୁଁ। ଆମେ ହସ୍ପିଟାଲ୍‌ ସଂଖ୍ୟା, ବେଡ୍‌, ଟେଷ୍ଟିଂ ସୁବିଧା ଭଲ ଭାବେ କରିପାରିଥିଲୁ। କୋଭିଡ୍‌ ପାଇଁ ସ୍ବତନ୍ତ୍ର ହସ୍ପିଟାଲ୍‌ କମ୍‌ ସମୟରେ ନିର୍ମାଣ କରାଯାଇଥିଲା। କୌଣସି ହସ୍ପିଟାଲ୍‌ ଉପରେ ଚାପ ପଡ଼ିନି କାହାକୁ ରଖିବେ ଓ କାହାକୁ ଡିସ୍‌ଚାର୍ଜ କରିବେ। ରୋଗୀଙ୍କ ସେବାରେ ପାତର ଅନ୍ତର କରାଯାଇନି। ଏହା ସରକାରଙ୍କ ବଡ଼ ଉପଲବ୍ଧି।

ଦ୍ବିତୀୟ କଥା ହେଲା ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠାରେ କି କୋଭିଡ୍‌ରୋଗୀଙ୍କ ପାଇଁ ଟେଷ୍ଟିଂ, ଚିକିତ୍ସା ସବୁ ମାଗଣା କରାଯାଇଥିଲା। ତୃତୀୟ କଥା ହେଲା କୋଭିଡ୍‌ ମୁକାବିଲାରେ ପଞ୍ଚାୟତିରାଜ ଅନୁଷ୍ଠାନ, ସରପଞ୍ଚ, ସମ୍ପାଦକ, ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଫଳରେ ଏହି ବ୍ୟାଧିର ମୁକାବିଲା କରିବାରେ ଆମେ ଅନେକ ସଫଳତା ହାସଲ କରିଛୁ। କରୋନା ଲଢ଼େଇରେ ବହୁ ଯୋଦ୍ଧା ବି ପ୍ରାଣ ହରାଇଲେ। କୋଭିଡ୍‌ ଯୋଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ସେମାନଙ୍କ ଅବସର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ପରିବାର ସଦସ୍ୟଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସମ୍ଭବତଃ ଏପରି ବ୍ୟବସ୍ଥା ଅନ୍ୟ କୌଣସି ରାଜ୍ୟରେ ନ ଥିବ।

କରୋନା ସମୟରେ ବିଭିନ୍ନ ବିଭାଗର କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କରୋନା ବେଳେ ବି ସବୁ ବିଭାଗ ଅନ୍ୟ ସରକାରୀ କାର୍ଯ୍ୟକୁ ନିରନ୍ତର ଭାବେ କରିଛନ୍ତି। ରାଜସ୍ବ ବିଭାଗରେ ମ୍ୟୁଟେସନ୍ ପରି ଜଟିଳ କାମକୁ ୭ ଦିନ ଭିତରେ କରି ଦେଖାଇଛନ୍ତି। ଯେତିକି ବିଭାଗ ନାଗରିକଙ୍କୁ ସିଧାସଳଖ ସେବା ଦେଉଛନ୍ତି, ସେମାନେ ଅନ୍‌ଲାଇନ୍‌ରେ ସେବା ଯୋଗାଇବାକୁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏଥିରେ ସରକାର ସଫଳ ହୋଇଛନ୍ତି। ‘ମୋ ସରକାର’ରେ ଲୋକଙ୍କ ମତାମତ ସଂଗ୍ରହ ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ। ଏହା ଦ୍ବାରା ମନ୍ତ୍ରୀ, ସଚିବ, ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ସ୍ତରରେ କ’ଣ ହେଉଛି ତାହା ଜାଣିପାରୁଛନ୍ତି। ସେହି ଅନୁଯାୟୀ ପଦକ୍ଷେପ ନେଉଛନ୍ତି।

ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ ୫୦ରୁ ଅଧିକ ନେଚର୍ସ କ୍ୟାମ୍ପ୍‌ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍‌ କରାଯାଇଛି। ଏସବୁ ବେଶ୍‌ ଲୋକପ୍ରିୟ ହୋଇପାରିଛି। ପ୍ରତ୍ୟେକ ବିଭାଗରେ ଗତ ୯ ମାସରେ ଭିତରେ ‌‌େଯଉଁ ପରି କାମ ହୋଇଛି, ତାହା ପ୍ରଶଂସନୀୟ।

ଟିମ୍‌ ବିଲ୍‌ଡିଂ ଉପରେ ଗୁରୁତ୍ବ ଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ମୋର କାର୍ଯ୍ୟକାଳ ଭିତରେ ମୁଁ ଟିମ୍ ବିଲ୍‌ଡିଂ କରିବା ପାଇଁ ଯେଉଁ ଉଦ୍ୟମ କରିଥିଲି, ସେଥିରେ ମୁଁ ସଫଳ ହୋଇଛି। କୌଣସି ଲୋକ ଏକା କାମ କରିପାରିବ ନାହିଁ। ଏଥି ପାଇଁ ଏକ ବ୍ୟବସ୍ଥା ଦରକାର। ଗ୍ରୁପ୍ ଆକ୍ଟିଭିଟି ଦରକାର। ମୋ ସମୟରେ ମୁଁ ସହକର୍ମୀମାନଙ୍କର ଅକୁଣ୍ଠ ସହଯୋଗ ପାଇଛି। ମୁଁ ସେମାନଙ୍କ ଦକ୍ଷତା ଉପରେ ବିଶ୍ବାସ ରଖିଛି ଓ ସେମାନେ ମଧ୍ୟ ସହଯୋଗ କରିଛନ୍ତି। ଟିମ୍‌ୱାର୍କ ଭାବେ ଆମେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ତାହାକୁ ତ୍ବରାନ୍ବିତ କରିଛୁ। ବହୁ ବଡ଼ ପ୍ରକଳ୍ପ ଏବେ ନିର୍ମାଣାଧୀନ ଅଛି। ଏସବୁ ନିଶ୍ଚିତ ଠିକ୍ ସମୟରେ ଶେଷ ହୋଇପାରିବ।