ନିଲାମ ହେବ ଆସିକା ସମବାୟ ଚିନିଶିଳ୍ପ

ମୁଣ୍ଡରେ ୨୫ କୋଟି ଋଣ, ଏସ୍‌ସିଡିସିର ନୋଟିସ୍‌

ଆସିକା : ବର୍ଷ ବର୍ଷ ଧରି କ୍ଷତିରେ ଚାଲିଥିବା ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପ ନିଲାମ ହୋଇଯିବ। ବକେୟା ଋଣ ପରିଶୋଧ କରିପାରୁ ନଥିବା କାରଣରୁ ଚିନିଶିଳ୍ପକୁ ନିଲାମ ପାଇଁ ନ୍ୟାସନାଲ୍ କୋପରେଟିଭ୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଏସ୍‌ସିଡିସି) ନୋଟିସ୍ ଜାରି କରିଛନ୍ତି। ଆଜି ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟର ଜଣେ ଅଧିକାରୀ ବ୍ୟକ୍ତିଗତ ଭାବେ ପହଞ୍ଚି ଏହି ନୋଟିସ୍‌କୁ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ଏହା ସହ ଚିନିଶିଳ୍ପ ସହିତ ସଂପୃକ୍ତ ଥିବା ବିଦ୍ୟୁତ୍, ଜଳସେଚନ ଓ ଅନ୍ୟାନ୍ୟ ବିଭାଗ ବୁଲି କେଉଁ ବିଭାଗର କେତେ ବକେୟା ରହିଛି ତାହାର ମଧ୍ୟ ଟିକିନିଖି ଅନୁସନ୍ଧାନ କରିଛନ୍ତି। ଫଳରେ ରାଜ୍ୟର ଏକ ମାତ୍ର ଚିନିଶିଳ୍ପ ବର୍ତ୍ତମାନ ସଂକଟରେ ପଡ଼ିଥିବାବେଳେ ଏହାକୁ ନେଇ ସହରର ବୁଦ୍ଧିଜୀବୀ ଓ ସମବାୟବିତ୍‌ କ୍ଷୋଭ ପ୍ରକଶ କରିଛନ୍ତି।

ମିଳିଥିବା ସୂଚନାନୁସାରେ, ଚିନିଶିଳ୍ପ ବର୍ତ୍ତମାନ ଋଣଜାଲରେ ଫସି ରହିଛି। ଋଣ ଓ ସୁଧ ମିଶି ପ୍ରାୟ ୨୫କୋଟି ଟଙ୍କା ବକେୟା ପଡ଼ିଛି। ଗତ ୨୫ ବର୍ଷ ତଳେ ଚିନିଶିଳ୍ପ ସଂପ୍ରସାରଣ ପାଇଁ ୭ କୋଟି ୧୮ ଲକ୍ଷ ୫୭ହଜାର ଟଙ୍କା ଋଣ କରିଥିଲା। ଏହି ଋଣ କେନ୍ଦ୍ର ସରକାରଙ୍କ କୃଷିବିଭାଗ ଅଧୀନ ସୁଗାର୍ ଡେଭଲପମେଣ୍ଟ୍ ବୋର୍ଡରୁ ମିଳିଥିଲା। ଏହି ଋଣ ଟଙ୍କା ଆଦାୟ ପାଇଁ କେନ୍ଦ୍ର ସରକାର ଏନ୍‌ଡିଏଫ୍‌ସିକୁ ଦାୟିତ୍ବ ଦେଇଥିଲେ। ଭିନ୍ନ ଭିନ୍ନ ସଂସ୍ଥାଠୁ ଋଣ ଆଣିଥିବା ଚିନିଶିଳ୍ପ ୨୦୧୦ ସୁଦ୍ଧା ଏନ୍‌ଡିଏଫ୍‌ସିକୁ କୌଣସି ଟଙ୍କା ପରିଶୋଧ କରି ନଥିଲା। ତେବେ ପରେ ଅର୍ଥାତ ୨୦୧୬ ମଧ୍ୟରେ ୮ କୋଟି ୧୯ ଲକ୍ଷ ୪୩ ହଜାର ଟଙ୍କା ଏନ୍‌ଡିଏଫ୍‌ସିକୁ ଫେରାଯାଇଥିଲା।

ବର୍ତ୍ତମାନ ମୂଳ, ସୁଧ ଆଦି ମିଶାଇ ଚିନିଶିଳ୍ପ ୨୫ କୋଟିରୁ ଅଧିକ ଋଣ ପରିଶୋଧ କରିପାରିନି। ଋଣଫାସରୁ ଚିନିଶିଳ୍ପକୁ ରକ୍ଷା କରିବାକୁ ଦିଲ୍ଲୀସ୍ଥିତ ନ୍ୟାସନାଲ୍ ଡେବ୍ଟ୍ ରିକଭରି ଟ୍ରିବ୍ୟୁନାଲରେ ଏକ ମାମଲା ବିଚାରାଧୀନ ଅଛି। ଚଳିତମାସ ୨୬ ତାରିଖରେ ଚିନିଶିଳ୍ପ କର୍ତ୍ତୃପକ୍ଷ ହାଜର ହେବେ। ବର୍ତ୍ତମାନ ନିଲାମ ପାଇଁ ନୋଟିସ୍ ଆସିଯିବା ପରେ କର୍ମଚାରୀ, ଚାଷୀଙ୍କ ପାଇଁ ଏକ ଝଟ୍‌କା ସଦୃଶ ସାବ୍ୟସ୍ତ ହୋଇଛି। ଆଉ ଗଞ୍ଜାମ ଜିଲ୍ଲାର ଭାତହାଣ୍ଡି ବୋଲାଉଥିବା ସଂକଟରେ ପଡ଼ିଛି। କେଉଁ ପରିସ୍ଥିତିରେ ଶିଳ୍ପକୁ ନିଲାମରୁ ରୋକାଯାଇପାରିବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର