ସବ୍ ଆସିଷ୍ଟାଣ୍ଟ୍ ଜେଲର୍ଙ୍କ ସମେତ ଅନେକଙ୍କ ଭୂମିକା ସନ୍ଦେହ ଘେରରେ
ଏପ୍ରିଲ୍ ୧୨ରେ ଜବତ ୨ ମୋବାଇଲ୍ କେଉଁଠି?
ଆସିକା : ଅପରାଧ ଉପରେ ନିୟନ୍ତ୍ରଣ କଷିବା ଲାଗି ପୁଲିସ ଏନ୍କାଉଣ୍ଟର୍ଠୁ ଆରମ୍ଭ କରି ଅନେକ କାର୍ଯ୍ୟାନୁଷ୍ଠାନ ନେଉଛି। ଦିନରାତି ଏକ କରି ଅପରାଧୀଙ୍କୁ ଧରିବା ପରେ ଜେଲ୍ ପଠାଉଛି। ଆଉ ଏହି ଜେଲ୍ ହିଁ ବର୍ତ୍ତମାନ ଅପରାଧୀଙ୍କ ଅପରାଧ ଦୁନିଆ ନିୟନ୍ତ୍ରଣର ଏକ ସୁରକ୍ଷିତ ସ୍ଥାନ ଭାବେ ଉଭା ହୋଇଛି। ବିଭିନ୍ନ ହାର୍ଡ଼କୋର୍ ଅପରାଧୀ ଜେଲ୍ କୋଠରି ଭିତରୁ ଅନାୟାସରେ ମୋବାଇଲ୍ ଯୋଗେ ନିଜ ଅପରାଧ ନେଟୱର୍କ ନିୟନ୍ତ୍ରଣ କରିବା ସହ ବ୍ଲୁ-ପ୍ରିଣ୍ଟ୍ ତିଆରି କରୁଛନ୍ତି। ଆଉ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଖୋଦ୍ ଜେଲ୍ର ଉଚ୍ଚପଦସ୍ଥ ଅଧିକାରୀମାନେ ଏମାନଙ୍କ ପାଇଁ ଢାଲ ସାଜିଛନ୍ତି। ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଆସିକା ସବ୍ଜେଲ୍ରୁ ଗତ ୪ ତାରିଖରେ ୫ଟି ମୋବାଇଲ୍ ଜବତ ସହ ଅଧୀକ୍ଷକ ଏହାକୁ ଆଣି ଥାନାରେ ହଠାତ୍ ଜିମା ଦେବା ଓ ଗତକାଲି ସବ୍ ଆସିଷ୍ଟାଣ୍ଟ୍ ଜେଲର୍ଙ୍କୁ ଅନ୍ୟ ଦୁଇଟି ମୋବାଇଲ୍ ବିଷୟରେ ଅଧୀକ୍ଷକ ପଚାରିବାରୁ ତାଙ୍କୁ ସେ ଧମକଚମକ ଦେବା ଓ ମାଡ଼ ମାରିବାକୁ ଉଦ୍ୟତ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଅନେକ ଛାତିଥରା ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ୍ ଏଠାରୁ ପ୍ରସ୍ତୁତ ହୋଇଥିବା ନଜିର୍ ରହିଛି। ଆଉ ଆଜି ବି ଅପରାଧୀ ବେଧଡ଼କ୍ ଏଠାରୁ ସେମାନଙ୍କ ଗ୍ୟାଙ୍ଗ୍ଙ୍କୁ ନିୟନ୍ତ୍ରଣ କରି ପାରୁଛନ୍ତି ବୋଲି ପୁଣି ପ୍ରମାଣିତ ହୋଇଛି। ଖାଲି ଏତିକି ନୁହେଁ, ଅନେକ ୱାର୍ଡ଼ର୍ଙ୍କଠୁ ଆରମ୍ଭ କରି କର୍ମଚାରୀଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି।
ଗତ ଏପ୍ରିଲ୍ ୧୨ ତାରିଖରେ ଜେଲ୍ ଅଧୀକ୍ଷକ ଛୁଟିରେ ଥିବା ବେଳେ ସବ୍ଆସିଷ୍ଟାଣ୍ଟ୍ ଜେଲର୍ ଜେଲ୍ ଭିତରୁ ୨ଟି ମୋବାଇଲ୍ ଜବତ କରିଥିଲେ। ସରକାରୀ ନିୟମାନୁସାରେ, ସେ ଏହାକୁ ଭାରପ୍ରାପ୍ତ ଅଧୀକ୍ଷକଙ୍କ ପାଖରେ ଜିମା ଦେବା କଥା। କିନ୍ତୁ ଏହା ସେ ନ କରି ପାଖାପାଖି ୫୦ ଦିନରୁ ଅଧିକ ସମୟ ମୋବାଇଲ୍ ପାଖରେ ରଖିଥିଲେ। ଆଉ ଏହା ଜଣାପଡ଼ିବା ପରେ ଅଧୀକ୍ଷକ ତାଙ୍କୁ ମୋବାଇଲ୍ ବିଷୟରେ ପଚାରିବାରୁ ସେ ତାଙ୍କୁ ଗାଳି କରି ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବାକୁ ଗୋଡ଼ାଇଥିଲେ।
ବର୍ତ୍ତମାନ ଏହି ଘଟଣାକୁ ନେଇ ପ୍ରଶାସନ ଓ ପୁଲିସ ଉଚ୍ଚ ଅଧିକାରୀଙ୍କ ମନରେ ଜେଲ୍ ପ୍ରଶାସନରେ ରହିଥିବା ଘଳିଆ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜବତ ହୋଇଥିବା ଦୁଇ ମୋବାଇଲ୍ ଏବେ କେଉଁଠି ଅଛି? କେଉଁ କେଉଁ ଅପରାଧୀଙ୍କ ପାଖରୁ ଏହି ମୋବାଇଲ୍ ଜବତ ହୋଇଥିଲା? ଜବତ ମୋବାଇଲ୍ ସେଦିନ ଭାରପ୍ରାପ୍ତ ଅଧିକାରୀଙ୍କୁ ସବ୍ ଆସିଷ୍ଟାଣ୍ଟ୍ ଜେଲର୍ କାହିଁକି ଦେଲେନି? ମୋବାଇଲ୍ ଲୁଚାଇବାକୁ ତାଙ୍କ ଉପରେ କିଏ ଚାପ ପକାଇଲା, ସେଥିରୁ ସିମ୍କୁ ନଷ୍ଟ କରାଯାଇଛି କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ସସ୍ପେନ୍ସ୍ ଘେରରେ ରହିଛି। କାରଣ ମୋବାଇଲ୍ ମିଳିଥିଲେ, କଲ୍ ରେକର୍ଡ଼ରୁ ଏହା କେଉଁ ଅଭିଯୁକ୍ତର ଓ କାହା କହା ପାଖକୁ କଲ୍ ଯାଇଛି, ତାହା ଜଣା ପଡ଼ିପାରନ୍ତା। କିନ୍ତୁ ସେ ଯାହା ହେଉନା କାହିଁକି, ଭୟରେ ହେଉ ଅଥବା ଅନ୍ୟ କୌଣସି କାରଣରୁ, ଅପରାଧୀଙ୍କୁ ସୁରକ୍ଷା ଦେବା ଲାଗି ଜେଲ୍ ଅଧିକାରୀ, କର୍ମଚାରୀ ମାନେ ବି ସାମିଲ୍, ଏହି ଘଟଣାରୁ ପ୍ରମାଣିତ ହୋଇଛି।
ସେହିପରି ଗତ ୩ ତାରିଖରେ ଜେଲ୍ ଭିତରୁ ୫ଟି ମୋବାଇଲ୍ ଆଣି ଅଧୀକ୍ଷକ ଆସିକା ଥାନାରେ ଜିମା ଦେଇଥିଲେ। ତେବେ ମୋବାଇଲ୍ ସଂକ୍ରାନ୍ତରେ ତଥ୍ୟ ଦେବାକୁ ୧୦ ପ୍ରଶ୍ନ ସମ୍ବଳିତ ଚିଠି ଥାନାଧିକାରୀ ଜେଲ୍ ଅଧୀକ୍ଷକଙ୍କ ପାଖକୁ ପଠାଇଥିଲେ। କିନ୍ତୁ ୪୮ ଘଣ୍ଟା ବିତିସାରିଥିଲେ ବି ଜେଲ୍ କର୍ତ୍ତୃପକ୍ଷ ଏହାର ଜବାବ୍ ଦାଖଲ କରିନାହାନ୍ତି। ଫଳରେ ଉକ୍ତ ୫ଟି ମୋବାଇଲ୍ ବିଷୟରେ ତଦନ୍ତ ପ୍ରକ୍ରିୟା ଆଗେଇପାରିନି।