‘ଜିରୋ ନାଇଟ୍‌’ ରାମ୍ପ୍‌ରେ ଚାଲିଲେ ସାଂସଦ ପ୍ରମିଳା, ନ‌ାଚିଲେ, ଗାଇଲେ, ଝୁମାଇଲେ

ଆସିକା : ସ୍ଥାନ ଥିଲା ଆସିକା ଟାଉନ୍‌ ହଲ୍‌। ପଲ୍ଲୀରୁ ଦିଲ୍ଲୀ ଯାଇଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ଗତକାଲି ରାତିରେ ନୂଆବର୍ଷ ଓ ଜିରୋ ନାଇଟ୍ ‌ପାଳନ କାର୍ଯ୍ୟକ୍ରମରେ ଭିନ୍ନ ଏକ ରୂପରେ ଦେଖିବାକୁ ମିଳିଥିଲା। ୭୪ ବର୍ଷ ବୟସରେ ବି ସେ ରାମ୍ପ୍‌ରେ ଚାଲିବା ସହ ସଭିଙ୍କ ସହ ପାଦରେ ପାଦ ମିଳାଇ ନାଚିଥିଲେ। ତାହା ପୁଣି ଆଧୁନିକ ଗୀତରେ। ପ୍ରମିଳା ମାଉସୀଙ୍କୁ ଦେଖି ମଞ୍ଚ ତଳେ ବସିଥିବା ନିମନ୍ତ୍ରିତ ଅତିଥିଗଣ ସେମାନଙ୍କ ଉତ୍ସାହକୁ ଆଉ ରୋକିପାରି ନ ଥିଲେ। ସଭିଏଁ ତାଙ୍କ ସହ ମିଶି ଝୁମି ଉଠିଥିଲେ। ଏହାସହ ପ୍ରମିଳା ଏହି ଉତ୍ସବରେ ଗାଁ ସଂସ୍କୃତି, ମହିଳା ସଶକ୍ତୀକରଣ ବାବଦରେ ନିଜ ରଚିତ ସଂଗୀତ ସହ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ କରି ସମସ୍ତଙ୍କୁ ବିମୁଗ୍ଧ କରିଥିଲେ। କରତାଳିରେ ଆସିକା ଟାଉନ୍ ହଲ୍ କମ୍ପି ଉଠିଥିଲା।

ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ ଓ ଆଇନଜୀବୀ ଅଜିତ ଚୌଧୁରୀ ମଧ୍ୟ ଗୀତ ପରିବେଶଷ କରି ମନୋରଂଜନ ଖୁବ୍ ମନୋରଂଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, କବିସୂର୍ଯ୍ୟନଗର ବ୍ଲକ୍ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଂପାଦକ ଶିବ ନାହାକ, ଯୁବ ନେତା ନଚିକେତା ସ୍ବାଇଁ, ବ୍ଲକ ଯୁବ ବିଜେଡି ସଭାପତି ଅନୀଲ ନାୟକ, ତାରିଣୀ ସେନାପତି, ଭେଟନଇ ସରପଞ୍ଚ ଅମୂଲ୍ୟ ଉପାଧ୍ୟୟ, ଚିନିଶିଳ୍ପ ପରିଚାଳନା ପରିଷଦ ନିର୍ଦ୍ଦେଶକ ଦୟାନିଧି ମହାନ୍ତି ଓ ଏସିଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସାଂସଦ ଓ ବିଧାୟିକା କେକ୍ କାଟି ନୂଆବର୍ଷକୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର