ଆସିକା : ଶେଷରେ ଆସିକା ଚିନିଶିଳ୍ପରେ ସ୍ବାଭାବିକ ସ୍ଥିତି ଫେରିଛି। ଇନ୍ସେଣ୍ଟିଭ୍ ଓ ବୋନସ୍ ପ୍ରଦାନ ସମେତ ୧୪ ଦଫା ଦାବି ନେଇ କର୍ମଚାରୀ, ଶ୍ରମିକ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଆସନ୍ତାକାଲି ଆଖୁପେଡ଼ା ପାଇଁ ବୟଲର୍ରେ ନିଆଁ ପଡ଼ିବ ବୋଲି ସୂଚନା ମିଳିଛି।
ଗତ ୧୦ ତାରିଖରୁ କର୍ମଚାରୀମାନେ ୧୪ ଦଫା ଦାବି ପୂରଣ ପାଇଁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ସହ ଆଖୁପେଡ଼ାରେ ସହଯୋଗ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ। ଫଳରେ ଜାନୁଆରି ମାସ ଶେଷ ସୁଦ୍ଧା ଆଖୁପେଡ଼ା ଆରମ୍ଭ ହେବା ନେଇ ଅନିଶ୍ଚିତତା ଲାଗି ରହିଥିଲା। ସେପଟେ ଆଖୁରସ ଶୁଖିଯିବା ଆଶଙ୍କାରେ ଚାଷୀ ଚିନ୍ତାରେ ପଡ଼ିଥିଲେ। ଶ୍ରମିକ ଓ କର୍ମଚାରୀଙ୍କୁ ବୁଝାସୁଝା କରିବାକୁ କର୍ତ୍ତୃପକ୍ଷ ବହୁବାର ବୈଠକ ଡାକିଥିଲେ ବି କୌଣସି ନିଷ୍କର୍ଷ ବାହାରି ନଥିଲା।