ଅଧିକାରୀଙ୍କୁ ପଚାରିଲେ ଦୃଷ୍ଟିବାଧିତ ଯଶୋବନ୍ତ: ମୋ’ ଭଳି ସରକାର ବି ଅନ୍ଧ କି ?

ବେହେରାଗୁଡ଼ା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ପ୍ରସଙ୍ଗ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଓ ଅଭିଭାବକ ଗତ ୧୧ ଦିନ ହେଲା ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଚଲାଇଥିଲେ। ଏହି କାରଣରୁ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ରହିଥିଲେ। ସୋମବାର ଧର୍ମଗଡ଼ ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ନବ କିଶୋର ସାହୁ, ଧର୍ମଗଡ଼ ଉପଖଣ୍ଡ ପୁଲିସ୍‌ ଅଧିକାରୀ ଧୀରଜ ଚୋପଦାର ଓ କୋକସରା ଥାନା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ) ଛାତ୍ର ଯଶୋବନ୍ତ ଛତ୍ରିଆ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ।  କିଛିଟା ପ୍ରଶ୍ନର ଉତ୍ତର ଅଧିକାରୀମାନେ ଦେଇଥିବା ବେଳେ ଆଉ କିଛି ପ୍ରଶ୍ନରେ ନିରୁତ୍ତର ରହିଥିଲେ। ଏହି ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଥିବା ବେଳେ ଛାତ୍ରଙ୍କ ପ୍ରଶ୍ନ ପ୍ରକୃତରେ ଯଥାର୍ଥ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ପ୍ରଶାସନିକ ଅଧିକାରୀଙ୍କୁ ଛାତ୍ର ଜଣକ ସେ ଜନ୍ମରୁ ଅନ୍ଧ ଅଟନ୍ତି ବୋଲି କହିବା ସହ ସେ ଯେମିତି ଅନ୍ଧ, କିଛି ଦେଖି ପାରନ୍ତି ନାହିଁ ସେହିଭଳି ଉପଜିଲ୍ଲାପାଳ, ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ସରକାର ବି ଅନ୍ଧ କି ? ୧୦ ଦିନ ବିତି ଯାଇଥିଲେ ବି ପ୍ରଶାସନ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିପାରିଲେ ନାହିଁ। ଏହି ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମଧ୍ୟ ଆବଶ୍ୟକତା ଅନୁସାରେ ଏଠାରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇନାହାନ୍ତି।

ଏପରି ୩୫ ଛାତ୍ରଛାତ୍ରୀଙ୍କ ଲାଗି ସରକାର ଜଣେ ଶିକ୍ଷକ ନିଯୁକ୍ତି ଦେବା ନିୟମ କରିଥିବା ବେଳେ ମାତ୍ର ୭ ଜଣ ଶିକ୍ଷକ କେମିତି ୪୨୫ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ ବୋଲି  ମଧ୍ୟ ଯଶୋବନ୍ତ ପ୍ରଶ୍ନ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଅନ୍ଧ ହୋଇଥିବାରୁ ସବୁ ଅବ୍ୟବସ୍ଥା ହେଉଛି ବୋଲି କହିଥିବା ଏହି ଭିଡିଓଟି ବର୍ତ୍ତମାନ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ, ଆଜିର ଏହି ଆଲୋଚନା ପରେ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଆଉ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ଅଧିକାରୀମାନଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆନ୍ଦୋଳନକାରୀ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲର ତାଲା ଖୋଲିଛନ୍ତି।

ସମ୍ବନ୍ଧିତ ଖବର