ବସ୍ତା-୨/ଚନ୍ଦନେଶ୍ୱର: ସମୁଦ୍ରରୁ ଦୁଇଟି ବିରାଟକାୟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ। ତନ୍ମଧ୍ୟରୁ ଗୋଟିଏ ମାଛ ମରିଯାଇଥିବା ବେଳେ ଅନ୍ୟଟିକୁ ଜୀବନ୍ତ ଅବସ୍ଥାରେ ଗଭୀର ସମୁଦ୍ରରେ ଛାଡ଼ିଦିଆଯାଇଛି। ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ପଶ୍ଚିମବଙ୍ଗର ଦୀଘା ମୁହାଣରୁ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କ ଜାଲରେ ୨୦୦ କେଜିର ଗୋଟିଏ ସାର୍କ ଧରାପଡ଼ିଥିଲା। ମାଛଟିକୁ କୂଳକୁ ଆଣିବା ପାଇଁ ଝାଳବୁହା ପରିଶ୍ରମ କରିଥିଲେ ମତ୍ସ୍ୟଜୀବୀ। ତେବେ ରବିବାର ପଶ୍ଚିମବଙ୍ଗ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣକୁ ଆଣିବାବେଳକୁ ସାର୍କମାଛଟି ମରି ସାରିଥିଲା। କଲିକତାର ଏକ ଔଷଧ କମ୍ପାନି ୨୯ ହଜାର ଟଙ୍କାରେ ଉକ୍ତ ମାଛଟିକୁ କିଣି ନେଇଥିବା ଜଣାପଡ଼ିଛି। ମାଛଟିକୁ ଦେଖିବା ପାଇଁ ଦୀଘାରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କର ପ୍ରବଳ ଗହଳି ହୋଇଥିଲା।

Advertisment

ସେହିପରି ବାଲେଶ୍ବର ଜିଲ୍ଲା ସଦର ବ୍ଲକ୍‌ କଷାଫଳ ସମୁଦ୍ର ମୁହାଣରୁ ଏକ ଟ୍ରଲରରେ ଆଜି ସକାଳେ କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ଏହିସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ୩୦୦ କେଜିର ଏକ ବିରାଟ ବାଘୁଆ ମାଗୁର ମାଛ। ମାଛଟିକୁ ଦଉଡ଼ିରେ ବାନ୍ଧି କଷାଫଳ ମୁହାଣ ପର୍ଯ୍ୟନ୍ତ ନେଇଆସିଥିଲେ ମତ୍ସ୍ୟଜୀବୀ। ତେବେ କୂଳକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଜୀବନ୍ତ ମାଛ ଧରାହୋଇଥିବା ନେଇ ଖବର ପ୍ରଚାରିତ ହୋଇ ଯାଇଥିଲା। ଫଳରେ ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ଖବର ପାଇ କଷାଫଳ ସାମୁଦ୍ରିକ ଥାନା ଅଧିକାରୀ ସଚ୍ଚିଦାନନ୍ଦ ଗିରି ସେଠାରେ ପହଞ୍ଚିଥିଲେ। କଷାଫଳ ଟ୍ରଲର ଆସେସିଏସନ୍‌ ଓ ଜିଲ୍ଲା ମତ୍ସ୍ୟ ବିଭାଗର ନିଷ୍ପତ୍ତି ଅନୁସାରେ ଦଉଡ଼ିରେ ବନ୍ଧା ହୋଇଥିବା ଉକ୍ତ ମାଛଟିକୁ ଟ୍ରଲର ସାହାଯ୍ୟରେ ନେଇ ଗଭୀର ସମୁଦ୍ରରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।