‘ଜୁଗାର’ ବାର୍ଷିକ ସଂଖ୍ୟା ଉନ୍ମୋଚନ ଉତ୍ସବ ‘ଅସ୍ମିତା-୨୦୨୦’: ‘ଆମ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଅବଶ୍ୟମ୍ଭାବୀ’

ଝାରସୁଗୁଡ଼ାରୁ ଆରମ୍ଭ ହେବ ସ୍ବପ୍ନର ଉଡ଼ାଣ, ସାକାର ହେବ ଏ ଅଞ୍ଚଳ ବିକାଶର ସ୍ବପ୍ନ

ଝାରସୁଗୁଡ଼ା: ଅସ୍ମିତା ହେଉଛି ସ୍ବାଭିମାନର ଝଂକାର, ଅସ୍ମିତା ହେଉଛି ଏକ କୋମଳ ଅହଂକାର। ପଶ୍ଚିମ ଓଡ଼ିଶାର ଆବେଗ ହିଁ ତା’ର ଅସ୍ମିତା। ଆଉ ଆମ ଭାଷା ହେଉଛି ଅସ୍ମିତାର ପରିଚୟ। ତେଣୁ ଜୀବନରେ ଯେତେ ଭାଷା ଶିଖିଲେ ବି ନିଜ ମା’ ଓ ମାଟିର ଭାଷାକୁ ସର୍ବାଗ୍ରେ ରଖିବା ହେଉଛି ଜ୍ଞାନୀ ଓ ବିକାଶଶୀଳ ମଣିଷର ପରିଚୟ ବୋଲି ଏଠାରେ ଆୟୋଜିତ ‘ଜୁଗାର’ ବାର୍ଷିକ ବିଶେଷାଙ୍କର ଉନ୍ମୋଚନ ଉତ୍ସବ ଅସ୍ମିତା-୨୦୨୦ରେ ବକ୍ତାମାନେ କହିଛନ୍ତି।

‘ସମ୍ବାଦ’ର ‘ଜୁଗାର’ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଅବସରରେ ରବିବାର ସଂଧ୍ୟାରେ ଝାରସୁଗୁଡ଼ା ସଂସ୍କୃତି ଭବନ ପରିସରରେ ଏହି ଭବ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରି ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନବ କିଶୋର ଦାସ କହିଲେ, ଉନ୍ନତ ରାଷ୍ଟ୍ରର ଲୋକେ ନିଜ ଭାଷାକୁ ସବୁଠୁ ଅଧିକ ଭଲ ପାଆନ୍ତି। ଆମେ ଆମ ଅଞ୍ଚଳର ଭାଷାକୁ ଭଲ ପାଇବା ଏକ ଶୁଭ ଲକ୍ଷଣ। ଏ ଦିଗରେ ‘ଜୁଗାର’ର ଅବଦାନ ଅବିସ୍ମରଣୀୟ। ଏହା ଆଉ ଏକ ପତ୍ରିକାରେ ସୀମିତ ରହି ନାହିଁ। ଏହା ଏକ ଆନ୍ଦୋଳନ ପାଲଟି ସାରିଛି। ଏହି ଆନ୍ଦୋଳନ ଦିନେ ନା ଦିନେ ନିଶ୍ଚୟ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ କହିଲେ, ସିପାହୀ ବିଦ୍ରୋହର ୨୮ ବର୍ଷ ପୂର୍ବରୁ ଏହି ମାଟିରେ ବୀର ସୁରେନ୍ଦ୍ର ସାଏ ଇଂରେଜ୍ ବିରୋଧରେ ଲଢ଼େଇ କରିଥିଲେ। କେବଳ ସେ ନୁହନ୍ତି, ତାଙ୍କ ପୂରା ପରିବାର, ତାଙ୍କ ବହୁ ସହଯୋଗୀ ସ୍ବାଧୀନତା ଲଢ଼େଇରେ ପ୍ରାଣବଳି ଦେଇଥିଲେ। ଘେଁସ୍ ଜମିଦାର ପରିବାରର ତିନି ତିନିଟି ପିଢ଼ି ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ ଯାହା ସାରା ବିଶ୍ବରେ କେଉଁଠି ବି ଦେଖିବାକୁ ମିଳିବ ନାହିଁ। ଏହି ମାଟିର ସନ୍ତାନ ଗଂଗାଧର ଓ ଭୀମ ଭୋଇ ନିଜ ପାଇଁ, ରାଜ୍ୟ ପାଇଁ ବା ଦେଶ ପାଇଁ ଚିନ୍ତା ନକରି ସମଗ୍ର ବିଶ୍ବ ଓ ଜଗତ ପାଇଁ ଲେଖନୀ ଧରିଥିଲେ। ଏହି ମାଟିର ସମ୍ବଲପୁରୀ ବାନ୍ଧକଳା ସମଗ୍ର ଦେଶରେ ସର୍ବଶ୍ରେଷ୍ଠ। ଆମ ସଂଗୀତ, ଆମ ଗୀତ, ଆମ ବାଦ୍ୟ, ଆମ ନୃତ୍ୟର ତୁଳନା ନାହିଁ। ଶୀତଳଷଷ୍ଠୀ, ଧନୁଯାତ୍ରା ଭଳି ନିଆରା ଯାତ୍ରା ସାରା ବିଶ୍ବରେ ବିରଳ। ନୂଆଁଖାଇ ହେଉଛି ଏକତାର ପର୍ବ। ବିବିଧତା ମଧ୍ୟରେ ଏକତା ପାଇଁ ଯେମିତି ଭାରତ ପରିଚିତ ସେମିତି ଝାରସୁଗୁଡ଼ା ମଧ୍ୟ ପରିଚିତ ବୋଲି ଶ୍ରୀ ପୂଜାରୀ କହିଥିଲେ। ତେବେ ଯେବେ ସମ୍ବଲପୁରୀ/କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ମିଳିବ, ଯେବେ ସଂସଦରେ ସମ୍ବଲପୁରୀ ଭାଷାରେ ବକ୍ତବ୍ୟ ରଖିବାର ସୁଯୋଗ ପାଇବି ସେତେବେଳେ ଏହି ଆନ୍ଦୋଳନ ସଫଳ ହେବ। ଏହି ଭାଷା ଆନ୍ଦୋଳନକୁ ବଳିୟାନ କରିବାରେ ‘ସମ୍ବାଦ’ ଓ ଏହାର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅବଦାନକୁ ଇତିହାସ ସବୁଦିନ ମନେ ରଖିବ ବୋଲି ସେ ମତ ରଖିଥିଲେ।

ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ କହିଲେ, ଆମ ଅସ୍ମିତାର ପରିଚୟ ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର। ଏଠୁ ଆମ ସ୍ବପ୍ନର ଉଡ଼ାଣ ଆରମ୍ଭ ହେବ। ସାକାର ହେବ ଏ ଅଞ୍ଚଳର ବିକାଶର ସ୍ବପ୍ନ। ବିକାଶର ସ୍ବପ୍ନରେ ବିଭୋର ଏ ଅଞ୍ଚଳର ଯୁବଗୋଷ୍ଠୀ କେମିତି ନିଜ ଷ୍ଟାର୍ଟଅପ୍ ଆରମ୍ଭ କରି ବିଶ୍ବ ବଜାରର କବାଟ ବାଡ଼େଇଛନ୍ତି ତା’ର ତିନିଟି ସୁନ୍ଦର ଉଦାହରଣ ରଖିଥିଲେ।

ସମ୍ମାନିତ ଅତିଥି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ କହିଲେ, ଭାଷା ଅଞ୍ଚଳର ସ୍ବାଭିମାନକୁ ବଞ୍ଚାଇ ରଖେ। ଭାଷାକୁ ନେଇ ସମ୍ବଲପୁରର ପରିଚୟ ଅନନ୍ୟ। ଓଡ଼ିଆ ଭାଷାକୁ ନେଇ ସମ୍ବଲପୁରରେ ସବୁଠୁ ବଡ଼ ଆନ୍ଦୋଳନ ହୋଇଥିଲା। ତେଣୁ ଆଜି ଯେବେ ଏହି ମାଟି ନିଜ କଥିତ ଭାଷାକୁ ନେଇ ଆନ୍ଦୋଳନ କରୁଛି ତାହା ନିଶ୍ଚିତ ସଫଳ ହେବ। ଏଥିରେ ‘ସମ୍ବାଦ’ ଓ ‘ଜୁଗାର’ର ଭୂମିକା ଲୋକେ ସବୁଦିନ ମନେ ରଖିବେ ବୋଲି ଶ୍ରୀ ସାମଲ କହିଥିଲେ।

ସଭାପତି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ, କଥିତ ଭାଷାକୁ ସମୃଦ୍ଧ କରିବାକୁ ଅଧିକରୁ ଅଧିକ ମୁଦ୍ରଣର ଆବଶ୍ୟକତା ରହିଛି। ସେହି ଉତ୍ତରଦାୟିତ୍ବ ନିର୍ବାହ କରିବାକୁ ଯାଇ ଆମେ ‘ଜୁଗାର’ର ଆରମ୍ଭ କରିଥିଲୁ। ତେବେ ବର୍ତ୍ତମାନ ମା’ର ଭାଷାକୁ ବଞ୍ଚାଇ ରଖିବାକୁ ହେଲେ ଏହି ଭାଷାରେ ଅଧିକ ସାହିତ୍ୟ ସୃଷ୍ଟି କରି ତାକୁ ଡିଜିଟାଲ୍ ପ୍ଲାଟଫର୍ମରେ ସାଇତି ରଖିବାକୁ ହେବ। ଜଣକୁ ଅନ୍ୟ ଜଣକ ସହ ଯୋଡ଼ିବା ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅତି ସୁନ୍ଦର ହୋଇଛି ଓ ଆଗାମୀ ଦିନରେ ବିଶ୍ବସ୍ତରୀୟ ହୋଇପାରିବ। ଏବେ ରାଉରକେଲାକୁ ପଛରେ ପକାଇ ଝାରସୁଗୁଡ଼ା ନୂଆ ଶିଳ୍ପ ନଗରୀର ମାନ୍ୟତା ପାଇପାରିଛି। ତେବେ ଏହି ବିକାଶର ଉଡ଼ାଣ ଉଡ଼ିବା ଭିତରେ ଆମେ ଯେମିତି ନିଜ ଭାଷାକୁ ଭୁଲି ନଯାଉ ସେଥି ପ୍ରତି ଯତ୍ନବାନ ହେବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ।

ଏହି ଉତ୍ସବରେ ‘ଜୁଗାର’ର ସପ୍ତମ ବାର୍ଷିକ ବିଶେଷାଙ୍କ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏ ଅଞ୍ଚଳର ୫ ଜଣ ପ୍ରତିଭାଙ୍କୁ ସମ୍ମାନିତ କରା ଯାଇଥିଲା। ନାଟ୍ୟକାର ପ୍ରଦୀପ ଭୋଳ, ସଂଗୀତଜ୍ଞ ଅଭିଜିତ ମଜୁମଦାର, କ୍ରିକେଟର୍ ଶୋଭନ ଦେବ, ଯୁବ କଣ୍ଠଶିଳ୍ପୀ ଡୁଲେ ରାପର୍, ମିସନ୍ ଡ୍ରିମ୍ସ ମିସ୍ ଇଣ୍ଡିଆ ଅର୍ପିତା ନନ୍ଦଙ୍କୁ ସମ୍ବର୍ଧିତ କରା ଯାଇଥିଲା। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସଭା ସଂଯୋଜନା କରିଥିଲେ। ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ଦେବେନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ମଞ୍ଚ ଆବାହନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଭିଜିତ, ଡୁଲେ ରାପରଙ୍କ ସଂଗୀତ ସହ ସମ୍ବଲପୁର କଳା ପରିଷଦର କଳାକାରଙ୍କ ନୃତ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।

ଉତ୍ସବ ଆରମ୍ଭ ପୂର୍ବର ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିରରୁ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଉତ୍ସବ ସ୍ଥଳକୁ ଯାଇଥିଲା। ଅତିଥିଗଣ ମଧ୍ୟ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଏକ ବିଶାଳ ଆକୃତିର ‘ଜୁଗାର’(ଖଇ ମୁଆଁ)କୁ ଆଣି ମଞ୍ଚରେ ସ୍ଥାପନ କରା ଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ମିଶ୍ର ଏବଂ ଶାଖା ପରିଚାଳକ ଗଜେନ୍ଦ୍ର ମଲ୍ଲିକଙ୍କ ତତ୍ତ୍ବାବଧାନରେ ଉତ୍ସବ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଏଇ ତ ଜୀବନ, ଏଇ ତ ଜୀବନ ଭି, ୟଙ୍ଗଷ୍ଟାର୍ ଚାରିଟେବଲ୍ ଟ୍ରଷ୍ଟ, ସରସ୍ବତୀ ମହିଳା ସଂଗଠନ, ସଂଗିନୀ ଲେଡିଜ୍ ଗ୍ରୁପ୍ର ସଦସ୍ୟ ସଦସ୍ୟା ତଥା ସମ୍ବାଦ ସାହିତ୍ୟଘର ସଂପାଦକ ଅକ୍ଷୟ ପତି, ସିଡବ୍ଲୁସି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ, ସମାଜସେବୀ ପିଣ୍ଟୁ ପାଢ଼ୀ, କନକ ଟିଭି ପ୍ରତିନିଧି ବିକ୍ରମ ମହାପାତ୍ର, ବ୍ଲକ୍ ପ୍ରତିନିଧି ସୁମନ୍ତ ବହିଦାର, ଭରତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର