କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପରୀକ୍ଷା ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଦାୟର ରିଟ୍ ଅପିଲର ଶୁଣାଣି ଦୁର୍ଗାପୂଜା ଅବକାଶ ପରେ ହେବ। ଆଜି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସତ୍ୟବ୍ରତ ନାୟକ, କବିତା ଜେନା ଓ ଅନ୍ୟମାନଙ୍କ ତରଫରୁ ଦାୟର ଦୁଇ ରିଟ୍ ଅପିଲର ଶୁଣାଣି ହୋଇଥିଲା। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ପକ୍ଷରୁ ମଧ୍ୟ ଆଜି ପୃଥକ ରିଟ୍ ଅପିଲ ଦାୟର କରାଯାଇଥିବା ନେଇ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା।

Advertisment

ସମସ୍ତ ରିଟ ଅପିଲର ଦଶହରା ଅବକାଶ ପରେ ଏକତ୍ର ଶୁଣାଣି ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜଣିକିଆ ବିଚାରପତିଙ୍କ ରାୟ ସ୍ଥଗିତ ରଖିବାକୁ ଅଗଷ୍ଟ ୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ। ସୂଚନାଯୋଗ୍ୟ, ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ ବେଆଇନ ଦର୍ଶାଇ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ମେ ୧୯ରେ ହାଇକୋର୍ଟ ଶୁଣାଣି କରି ଓପିଏସସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିଥିଲେ। ଏଥିସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ରାୟର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଓ ଏକ ରିଟ ପିଟିସନ ଦାଖଲ କରିଥିଲେ।

ଦୁଇ ମାମଲାକୁ ହାଇକୋର୍ଟ ଜୁଲାଇ ୩୧ରେ ଖାରଜ କରିଥିଲେ। ମେ ୧୯ ରାୟକୁ ହାଇକୋର୍ଟ କାଏମ ରଖିଥିଲେ। ଏହାପରେ ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି କେତେକ ପ୍ରାର୍ଥୀ ଦୁଇଟି ରିଟ୍ ଅପିଲ ହାଇକୋର୍ଟରେ ଦାୟର କରିଥିଲେ। ଅଗଷ୍ଟ ୯ରେ ଦୁଇ ଜଣିଆ ଖଣ୍ଡପୀଠ ଦୁଇ ରିଟ୍ ଅପିଲକୁ ବିଚାର ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥି ସହିତ ଜଣିକିଆ ବିଚାରପତିଙ୍କ ୨୦୨୩, ମେ ୧୯ ଓ ଜୁଲାଇ ୩୧ର ରାୟକୁ ରିଟ୍ ଅପିଲର ଚୂଡାନ୍ତ ରାୟ ପ୍ରକାଶ ପର୍ଯନ୍ତ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେତେକ ପ୍ରାର୍ଥୀ ପୂର୍ବରୁ ରିଟ୍ ଅପିଲ ଦାୟର କରିଥିବା ବେଳେ ଓପିଏସସି ଆଜି ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ରିଟ୍ ଅପିଲ ଦାୟର କରିଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଭବାନୀ ଶଙ୍କର ତ୍ରିପାଠୀ, ଓପିଏସସି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ପ୍ରତିପକ୍ଷ ରଜତ କୁମାର ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।