କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ଏଏସ୍ଓ) ନିଯୁକ୍ତି ପରୀକ୍ଷା ବିବାଦ ପୁଣି ହାଇକୋର୍ଟରେ ପହଞ୍ଚିଛି। ଓପିଏସ୍ସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ହାଇକୋର୍ଟ ୨୦୨୩, ମେ ୧୯ରେ ରାୟ ପ୍ରଦାନ କରିଥିଲେ। ରଦ୍ଦ କରାଯାଇଥିବା ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ ହାଇକୋର୍ଟରେ ସାନି ରିଟ୍ ପିଟିସନ୍ ଦାୟର୍ କରିଛନ୍ତି। ପୂର୍ବରୁ ପ୍ରକାଶିତ ମେଧା ତାଲିକାରେ ସ୍ଥାନ ପାଇଥିବା ପି. ପାଣିଗ୍ରାହୀ ଓ ଅନ୍ୟ ଚାରିଜଣଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ପୂର୍ବ ମାମଲାରେ ସେମାନଙ୍କୁ ପକ୍ଷଭୁକ୍ତ କରାଯାଇ ନଥିଲା। ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପ୍ରାରମ୍ଭିକ ଶୁଣାଣି କରିଛନ୍ତି।
ମେ ୨୩ ରାୟର ପୁନର୍ବିଚାର ପାଇଁ ଦାୟର ରିଭ୍ୟୁ ପିଟିସନ୍ ବିଚାରାଧୀନ ଥିବା ବେଳେ ଉଭୟ ମାମଲାର ଆସନ୍ତା ସପ୍ତାହରେ ଏକତ୍ର ଶୁଣାଣି ହେବ।
ଆବେଦନରେ ଦର୍ଶାଯାଇଛି ଯେ ଓପିଏସ୍ସି ନିୟମ ଅନୁସାରେ ୨୦୨୨, ନଭେମ୍ବର ୭ରେ ମେଧା ତାଲିକା ପ୍ରକାଶ କରିଥିଲା। ତେଣୁ ମେଧା ତାଲିକା ରଦ୍ଦ କରାନଯାଉ। ଏଏସ୍ଓ ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ କରି ହାଇକୋର୍ଟରେ ମୂଳ ରିଟ୍ ଆବେଦନ କରିଥିବା ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଏଏସ୍ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଅଭିଯୋଗ ଦର୍ଶାଇ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟ ପୂର୍ବରୁ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏଥିସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇେକାର୍ଟ ନିର୍ଦ୍ଦେଶ ଦେଇଥିଲେ।