ଏଏସ୍‌ଓ ପରୀକ୍ଷା ତାରିଖ ଘୁଞ୍ଚାଇବା ପ୍ରସଂଗ : ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ପକ୍ଷରୁ ଜାନୁଆରି ୨୦ରେ ଅନୁଷ୍ଠିତ ହେବାକୁ ଥିବା ଆସିଷ୍ଟାଣ୍ଟ ସେକସନ୍ ଅଫିସର(ଏଏସଓ) ଲିଖିତ ପରୀକ୍ଷାକୁ ଘୁଞ୍ଚାଇବା ପ୍ରସଂଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ମୁଖ୍ୟ ବିିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏଏସଓ ପରୀକ୍ଷା ଅନ୍ୟ ତାରିଖରେ କରିବାକୁ ନିବେଦନ କରି ଦାୟର ଦୁଇଟି ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଜାନୁଆରି ୨୦ ତାରିଖରେ ଜାତୀୟସ୍ତରର ଅନ୍ୟ ନିଯୁକ୍ତି ପରୀକ୍ଷା ପାଇଁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଓପିଏସସି ପକ୍ଷରୁ ଏଏସଓ ପରୀକ୍ଷା ପାଇଁ ସମାନ ତାରିଖ ଧାର୍ଯ୍ୟ କରାଯିବା ଦ୍ବାରା ବହୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଜାନୁଆରି ୨୦ର ଏଏସଓ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା। ଖଣ୍ଡପୀଠ ମାମଲାର ଶୁଣାଣି କରି ଏଏସଓ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାୟର ଦୁଇ ମାମଲାକୁ ଅଗ୍ରାହ୍ୟ କରିଛନ୍ତି। ଓପିଏସସି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ଗ୍ରୁପ୍-ବି ଲିଖିତ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ ପରିବର୍ତ୍ତନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ୨୦୧୮, ଡିସେମ୍ବର ୨୩ ତାରିଖ ପରିବେର୍ତ୍ତ ୨୦୧୯, ଜାନୁଆରି ୨୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଅନ୍ୟପଟେ ଜାତୀୟସ୍ତରର ଆଇବିପିଏସ୍‌ କ୍ଲର୍କ ମେନ୍‌ ପରୀକ୍ଷା ଜାନୁଆରି ୨୦ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଏପରି ପରିସ୍ଥିତିରେ ଏଏସଓ ପରୀକ୍ଷା ତାରିଖକୁ ପରିର୍ତ୍ତନ କରିବାକୁ ନିବେଦନ କରି କେତେକ ପ୍ରାର୍ଥୀ ପୂର୍ବରୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲରେ ମାମଲା ରୁଜୁ କରିଥିଲେ। ଏହି ପ୍ରସଂଗରେ ଓପିଏସସି ଅଧ୍ୟକ୍ଷ ନିଷ୍ପତ୍ତି ନେବେ ବୋଲି ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏଏସଓ ପରୀକ୍ଷା ଘୁଞ୍ଚାଇବା ପ୍ରସଂଗକୁ ନେଇ ‌କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପୂର୍ବରୁ ପରୀକ୍ଷାର୍ଥୀମାନେ ଗୃହ ବିଭାଗ ସଚିବ ଓ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଓପିଏସସି କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର