କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପରୀକ୍ଷା ବିବାଦକୁ ନେଇ ଦାୟର ଦୁଇ ମାମଲାର  ଗୁରୁବାର ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଓପିଏସ୍‌ସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ହାଇକୋର୍ଟ ୨୦୨୩, ମେ’ ୧୯ରେ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ଦାୟର ରିଭ୍ୟୁ ପିଟିସନ ସହିତ ରଦ୍ଦ କରାଯାଇଥିବା ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କ ପକ୍ଷରୁ ରୁଜୁ ରିଟ୍ ଆବେଦନର ଏକତ୍ର ଶୁଣାଣି ହୋଇଥିଲା। ଯେଉଁ ରିଟ୍ ଆବେଦନର ଶୁଣାଣି କରି ହାଇକୋର୍ଟ ମେ ୧୯ରେ ମେଧା ତାଲିକା ରଦ୍ଦ କରବାକୁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ଆବେଦନକାରୀଙ୍କୁ ପକ୍ଷଭୁକ୍ତ କରାଯାଇ ନଥିଲା।

Advertisment

ଆବେଦନକାରୀମାନେ ମେଧା ତାଲିକାରେ ସ୍ଥାନ ପାଇଥିବାରୁ ଏହି ମାମଲାର ରାୟ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି। ମାମଲାରେ ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ପକ୍ଷଭୁକ୍ତ କରାଯାଇ ନଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହ‌ାର କରାଯାଉ। ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇ ଏହି ମାମଲାର ବିଚାର କରାଯାଉ ବୋଲି ଆଜି ଗୁରୁବାର ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏଥି ସହିତ ଏହି ପ୍ରସଂଗରେ ଥିବା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟର ନଜିର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଭ୍ୟୁ ଓ ରିଟ୍ ପିଟିସନର ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା‌ ଲାଗୁ ବେଆଇନ ଦର୍ଶାଇ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଫେବ୍ରୁଆରି ୨ରେ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମେ ୧୯ରେ ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ଏଏସଓ ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିଥିଲେ।

ଏଥି ସହିତ ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇ‌େକାର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ପୁନର୍ବିଚାର ପାଇଁ ପୂର୍ବରୁ ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ ଆବେଦନ ଦାୟର କରିଥିଲେ। ମେ’ ୧୯ ରାୟର ପୁନର୍ବିଚାର କରାଯାଉ, ନଚେତ ପୂର୍ବର ମେଧା ତାଲିକାରେ ସ୍ଥାନ ପାଇଥିବା ବହୁ ଯୋଗ୍ୟ ପ୍ରାର୍ଥୀ ଏଏସଓ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିବାର ସମ୍ଭାବନା ରହିଛି। ଓପିଏସସି ନିୟମ ଅନୁସାରେ ୨୦୨୨, ନଭେମ୍ବର ୭ରେ ମେଧା ତାଲିକା ପ୍ରକାଶ କରିଥିଲା। ତେଣୁ ମେଧା ତାଲିକା ରଦ୍ଦ କରା ନ ଯାଉ ବୋଲି ପୁନର୍ବିଚାର ଆବେଦନରେ ଦର୍ଶାଯାଇଛି। ସେହିଭଳି ଭାବେ ପୂର୍ବରୁ ପ୍ରକାଶିତ ମେଧା ତାଲିକାରେ ସ୍ଥାନ ପାଇଥିବା ଆଉ କେତେକ ପ୍ରାର୍ଥୀ ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ପୂର୍ବ ମାମଲାରେ ସେମାନଙ୍କୁ ପକ୍ଷଭୁକ୍ତ କରାଯାଇ ନଥିଲା। ଅନ୍ୟପକ୍ଷରେ ସେମାନେ ସ୍ଥାନ ପାଇଥିବା ମେଧା ତାଲିକା ରଦ୍ଦ ପାଇଁ ସଂପୃକ୍ତ ମାମଲାରେ ନିର୍ଦ୍ଦେଶ ଦିଆଯାଇଥିଲା।