ଏଏସ୍‌ଓମାନଙ୍କ ଦକ୍ଷତାର ଠିକ୍ ଉପଯୋଗ କର, ସଚିବମାନଙ୍କୁ ଚିଠି ‌‌‌‌ଲେଖିଲେ ମୁଖ୍ୟ ସଚିବ

ଏଏସ୍‌ଓମାନେ ସିଧାସଳଖ ଉପସଚିବଙ୍କୁ ଫାଇଲ୍‌ ଦେଇପାରିବେ

ଭୁବନେଶ୍ବର : ରାଜ୍ୟ ସରକାର ଏଇ ନିକଟରେ ଦୁଇଟି ପର୍ଯ୍ୟାୟରେ ସଚିବାଳୟରେ ୧୩୦୦ ଏଏସ୍‌ଓଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ଓଡ଼ିଶା ସେକ୍ରେଟାରିଏଟ୍‌ ସର୍ଭିସ୍‌(ଓଏସ୍‌ଏସ୍‌) କ୍ୟାଡର୍‌ ମଜବୁତ୍ ହୋଇଛି। କିନ୍ତୁ ଏଏସ୍‌ଓମାନଙ୍କ ଦକ୍ଷତାକୁ ଠିକ୍ ଭାବେ ବିନିଯୋଗ କରାଯାଇପାରୁ ନାହିଁ। ଚିରାଚରିତ ଢଙ୍ଗରେ ଫାଇଲ୍‌ ଦେବାରେ ସେମାନଙ୍କ କାମ ସୀମିତ ରହୁଛି। ଏହାକୁ ନଜରରେ ରଖି ଏଏସ୍‌ଓମାନଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ପାଇଁ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବିଭାଗଗୁଡ଼ିକ ପକ୍ଷରୁ ଏଏସ୍‌ଓମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କିପରି ଦାୟିତ୍ବ ଦିଆଯିବ, ତାହା ମଧ୍ୟ ଶ୍ରୀ ତ୍ରିପାଠୀ ଚିଠିରେ ସୂଚାଇ ଦେଇଛନ୍ତି।

ନିକଟରେ ମୁଖ୍ୟ ଶାସନ ସଚିବ ପ୍ରାୟ ୬୧ ଜଣ ଏଏସ୍‌ଓଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେମାନଙ୍କ ଦକ୍ଷତାର ପୂର୍ଣ୍ଣ ବିନିଯୋଗ ହୋଇପାରୁନି ବୋଲି ସେ ଅନୁଭବ କରିଥିଲେ। ସେହି ଭିତ୍ତିରେ ସେ ସଚିବମାନଙ୍କୁ ଏକ ଚିଠି ‌ଲେଖି ଏହି ପ୍ରସଙ୍ଗରେ କିଛି ପ୍ରସ୍ତାବ ଦେଇଛନ୍ତି। ଚିଠିରେ ଦର୍ଶାଯାଇଛି, ଏଏସ୍‌ଓମାନେ ଏସ୍‌ଓ ଓ ଡିଓମାନଙ୍କୁ ଫାଇଲ୍‌ ଦେବେ ନାହିଁ। ସେମାନଙ୍କୁ ସ୍ବାଧୀନ ଭାବେ ଦାୟିତ୍ବ ଦିଆଯିବ ଓ ଏ ସଂକ୍ରାନ୍ତୀୟ ଫାଇଲ୍‌କୁ ସେମାନେ ସିଧାସଳଖ ଉପ ସଚିବ/ଯୁଗ୍ମ ସଚିବ/ଅତିରିକ୍ତ ସଚିବଙ୍କୁ ପ୍ରଦାନ କରିବେ। ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ଏଏସ୍‌ଓମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ବ ପ୍ରଦାନ କରାଯିବ। ନିୟମିତ ଭାବେ ସେମାନଙ୍କୁ ଆଲୋଚନା ପାଇଁ ନିର୍ଦ୍ଦେଶାଳୟ ପଠାଯିବ ଏବଂ ଲୋକଙ୍କ ମତାମତ ଜାଣିବା ପାଇଁ କ୍ଷେତ୍ର ସ୍ତରକୁ ମଧ୍ୟ ପଠାଯିବ। ମୁଖ୍ୟ ଶାସନ ସଚିବ / ଉନ୍ନୟନ କମିସନର୍‌ଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସମୀକ୍ଷା ସମୟରେ ପାୱାର୍‌ ପଏଣ୍ଟ୍‌ ପ୍ରେଜେଣ୍ଟେସନ୍ ବେଳେ ଏହାକୁ ପ୍ରସ୍ତୁତ କରିଥିବା ଏଏସ୍‌ଓମାନେ ଉପସ୍ଥିତ ରହିବେ। ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ପିଏମ୍‌ୟୁଗୁଡ଼ିକରେ ମଧ୍ୟ ଏଏସ୍‌ଓମାନଙ୍କୁ ସଂପୃକ୍ତ କରାଯିବ। ଫଳରେ ସେମାନେ ପିଏମ୍‌ୟୁର କାର୍ଯ୍ୟ ଦେଖିବା ସହ ପରାମର୍ଶଦାତାମାନଙ୍କ ସହ ଆଲୋଚନା କରିବେ। ଭବିଷ୍ୟତରେ ଏହା ସରକାରଙ୍କ ପାଇଁ ଲାଭଦାୟକ ହେବ। ବିଭାଗଗୁଡ଼ିକ ନିଜ ନିଜ ସ୍ତରରେ ଏ ନେଇ ଅଧିକ ଆଲୋଚନା କରି ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଆଗାମୀ ସଚିବ ସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଶ୍ରୀ ତ୍ରିପାଠୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର