କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପରୀକ୍ଷା ବିବାଦକୁ ନେଇ ଦାୟର ଦୁଇ ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି। ଏହି ପ୍ରସଂଗରେ ହସ୍ତକ୍ଷେପ ପାଇଁ କୌଣସି କାରଣ ନଥିବା ଦର୍ଶାଇ ହାଇକୋର୍ଟ ଉଭୟ ରିଭ୍ୟୁ ପିଟିସନ ଓ ରିଟ୍ ଆବେଦନକୁ ଖାରଜ କରିଛନ୍ତି। ଜୁଲାଇ ୧୩ ତାରିଖରେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ତାହାର ରାୟ ପ୍ରକାଶ ପାଇଛି।

Advertisment

ସୂଚନା ଅନୁଯାୟୀ ଓପିଏସ୍‌ସି ପକ୍ଷରୁ ପ୍ରଥମେ ଏଏସ୍‌ଓ ପରୀକ୍ଷାଫଳ ପ୍ରକାଶ ପାଇବା ପ​ରେ ତାହା ବିରୋଧରେ କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩, ମେ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଓପିଏସ୍‌ସି ଦ୍ବାରା ପ୍ରକାଶିତ ଏଏସଓ ମେଧା ତାଲିକାକୁ ରଦ୍ଦ କରିବା ସହିତ ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶର ପୁର୍ନବିଚାର ପାଇଁ ଆଉ କେତେକ ପ୍ରାର୍ଥୀ ରିଭ୍ୟୁ ପିଟିସନ୍ ଦାଖଲ କରିବା ସହ କେତେକ ପ୍ରାର୍ଥୀ ରିଟ୍ ପିଟିସନ୍ ବି ଦାଖଲ କରିଥିଲେ। ସବୁ ମାମଲାର ଏକାଠି ଶୁଣାଣି କରି ହାଇକୋର୍ଟ ତାହାକୁ ଖାରଜ କରିଛନ୍ତି। ଫଳରେ ୨୦୨୩, ମେ ୧୯ର ହାଇକୋର୍ଟଙ୍କ ରାୟ କାଏମ୍ ରହିଛି। ଅର୍ଥାତ ଓପିଏସସି ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ସଂଶୋଧିତ କରାଯାଇ ପୁଣି ଥରେ ପ୍ରକାଶ କରାଯିବ।