ଏଏସ୍ଓ ନିଯୁକ୍ତି ପରୀକ୍ଷା ମାମଲା: ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅଙ୍କୁଶ

ଓପିଏସ୍‌ସି ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ, ୨୦ରେ ପରବର୍ତ୍ତୀ ଶୁଣାଣି

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ କରାଯାଇଛି ଏବଂ ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହିତ ହାଇକୋର୍ଟ ରାଜ୍ୟ ସରକାର ଓ ଓପିଏସ୍‌ସିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ୍ ଟେଷ୍ଟ ଅନୁଷ୍ଠିତ ହେବ। କିନ୍ତୁ, ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ କରାଯିବ ନାହିଁ ବୋଲି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

କିଛିଦିନ ତଳେ ବିବାଦରେ ରହିଥିବା ଏଏସ୍‌ଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ମଧ୍ୟ ଦାୟର ହୋଇଥିଲା। ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ ୨୦୧୬, ସେପ୍ଟେମ୍ବର ୩ର ବିଜ୍ଞପ୍ତିରେ ରହିଥିବା ନିୟମ ପାଳନ କରି ଓପିଏସ୍‌ସି ଲିଖିତ ପରୀକ୍ଷାଫଳ ପ୍ରକାଶ କରିଥିଲା। କିନ୍ତୁ, ଏହାପରେ ମଧ୍ୟ ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପିଛା ଛାଡ଼ୁନାହିଁ। ଏଏସ୍‌ଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ପ୍ରାର୍ଥୀ ବିଭିନ୍ନ ବିଷୟରେ ରଖି ଥିବା ସର୍ବମୋଟ୍‌ ନମ୍ବରକୁ ନେଇ ମେଧା ତାଲିକା ପ୍ରକାଶ କରାଯିବା କଥା। ଏପରି ନିୟମ ୨୦୧୮-୧୯ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ, ଏଥର ନୂଆ ନିୟମ ଲାଗୁ କରି ଲିଖିତ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ସମଗ୍ର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଛି। ଫଳରେ, ବହୁ ‌ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।

ଆବେଦନକାରୀ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଗ୍ରାମଜିତ ସେନାପତି ସହାୟତା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୭୯୬ ଏଏସ୍‌ଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ନଭେମ୍ବର ୭ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ସାର୍ଟିଫିକେଟ/ପ୍ରମାଣପତ୍ର ଯାଞ୍ଚ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟାରେ ୫୯ ଜଣ ଅନୁପସ୍ଥିତ ଥିଲେ। ଏହାପରେ ଡିସେମ୍ବର ୪ରେ ୧୦୪୫ ଜଣ ପ୍ରାର୍ଥୀଙ୍କର କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ୍‌ ଟେଷ୍ଟ ଭୁବନେଶ୍ବରର ୭ଟି କେନ୍ଦ୍ରରେ କରାଯିବ ବୋଲି ନଭେମ୍ବର ୩୦ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର