ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସୁକମା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ରାଓ ଗିରିପୁଞ୍ଜେ ସହିଦ୍ ହୋଇଛନ୍ତି। ଘଟଣାରେ ଅନ୍ୟ ୨ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ରବିବାର ରାତିରେ କୋଣ୍ଟା ଥାନା ଅଞ୍ଚଳର ବୁର୍କାପାଲ ରାସ୍ତାରେ ଏକ ଜସେିବି ମେସିନ୍କୁ ନକ୍ସଲ ନିଆଁ ଲଗାଇ ପୋଡ଼ି ଦେଇଥିଲେ। କୋଣ୍ଟା ପୁଲିସ ଖବର ପାଇବା ପରେ ସୁକମା ଅତିରିକ୍ତ ଏସ୍ପି ପ୍ରକାଶ ରାଓ ଗିରିପୁଞ୍ଜେ ଟିମ୍ ସହ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ। ପୁଲିସ୍ ଘଟଣାସ୍ଥଳକୁ ଆସୁଥିବା ନେଇ ଅବଗତ ହେବା ପରେ ନକ୍ସଲ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ଏଏସ୍ପି ପ୍ରକାଶ ରାଓଙ୍କ ସମେତ କୋଣ୍ଟା ଥାନା ଅଧିକାରୀ ଓ ଏସ୍ଡିପିଓ ଚାଲି ଚାଲି ଘଟଣାସ୍ଥଳକୁ ଯିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଫଳରେ ଏଏସ୍ପି ଶ୍ରୀ ରାଓ ଗୁରୁତର ଆହତ ହୋଇଥିଲେ।
ଅନ୍ୟ ଦୁଇ ଅଧିକାରୀ ମଧ୍ୟ ଛିଟିକି ପଡ଼ିଥିଲେ। ତୁରନ୍ତ ସମସ୍ତଙ୍କୁ କୋଣ୍ଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏଏସ୍ପି ପ୍ରକାଶ ରାଓଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଅଧିକାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ କୋଣ୍ଟା ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଜୋର୍ଦାର କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ ବସ୍ତର ଆଇଜି ସୁନ୍ଦରରାଜ ପି ଏହି ଘଟଣାକୁ ନିନ୍ଦା କରିଛନ୍ତି। ନକ୍ସଲ ସମ୍ମୁଖ ଲଢ଼େଇରେ ସାମନା କରିନପାରି ପଛରୁ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି। ଗତ କିଛି ଦିନ ମଧ୍ୟରେ ପୁଲିସ ଗୁଳିରେ ନକ୍ସଲ ସଂଗଠନର ବଡ଼ ବଡ଼ ନେତା ଟଳିପଡ଼ିଥିବାରୁ ଏଥିରେ ହିଂସ୍ର ହୋଇ ନକ୍ସଲ ଏଭଳି ଆକ୍ରମଣ କରିଥିବା କୁହାଯାଇଛି।