କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଅମାପ ଧନ ଆହରଣ କରିଥିବା ତୁଳସୀପୁର ସିଗ୍ନାଲର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ଭିଜିଲାନ୍ସ ବୁଧବାର ଦିନ ଗିରଫ କରିଛି।
ନିଜ ଆୟଠାରୁ ୪୮୯ ପ୍ରତିଶତ ଅଧିକ ସମ୍ପତ୍ତି ଆହରଣ କରିଥିବା ଶ୍ରୀ ମିଶ୍ରଙ୍କୁ ଦୀର୍ଘ ୨୨ ଘଣ୍ଟା ଧରି ଜେରା କରାଯାଇଥିଲା। ଜେରାବେଳେ ସେ ନିଜ ଆୟକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଶ୍ରୀ ମିଶ୍ରଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଭିଜିଲାନସ ସ୍ପେସାଲ ଜଜ୍ କୋର୍ଟକୁ ଚାଲାଣ କରାଯାଇଥିଲା। ସ୍ପେସାଲ୍ ଜଜ୍ କୋର୍ଟ ଶ୍ରୀ ମିଶ୍ରଙ୍କୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍ ଅନୁମତି ଦେଇ ବିଚାରବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏଏସ୍ପି ଶ୍ରୀ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।
ଗତକାଲିଠାରୁ ଏଏସ୍ପି ଶ୍ରୀ ମିଶ୍ରଙ୍କୁ ଜେରା କରାଯାଉଥିଲା। ସମସ୍ତ ସମ୍ପତ୍ତିର ହିସାବ ପରେ ସେ ନିଜ ଆୟ ବାହାରେ ୯କୋଟି ଟଙ୍କା ସମ୍ପତ୍ତି ଠୁଳ କରିଥିବା ଜଣପଡ଼ିଥିଲା। ଆଜି କଟକ ଭିଜିଲାନ୍ସ, ଦୁର୍ନୀତି ନିରୋଧ ଆଇନ-୨୦୧୮ (ପିଏସ୍ କେସ୍- ନଂ ୧୩)ରେ ମାମଲା ରୁଜୁ କରି ଗିରଫ କରାଯାଇଛି। ତେବେ, ତାଙ୍କ ବିରୋଧରେ ଚକ୍ରାନ୍ତ ହୋଇଛି ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ଚକ୍ରାନ୍ତକାରୀ କିଏ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ତାଙ୍କ ପତ୍ନୀ ମଧ୍ୟ ଭିଜିଲାନସ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। ଜବତ ହୋଇଥିବା ସମ୍ପତ୍ତି ତାଙ୍କର ପୈତୃକ ସମ୍ପତ୍ତି, ତାଙ୍କ ବାପଘର ଓ ଶ୍ବଶୁର ଘର ଲୋକ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।
ଅନ୍ୟପକ୍ଷରେ, ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୨୧ ତାରିଖ ଦିନ ଶୁଣାଣି ହେବ। ଆଜି ଅତିରିକ୍ତ ଦୌରା ଅଦାଲତ ଶ୍ରୀ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ଭିଜିଲାନ୍ସ ବିଭାଗ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂକ୍ରାନ୍ତରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।