ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଯାଇଛି। ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୫୨ ଅଧିକାରୀଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଉଛନ୍ତି ରାଜ୍ୟ ସରକାର। ଏହି ଆଭିମୁଖ୍ୟ ଅନୁଯାୟୀ ଏବେ କଟକ ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ଶ୍ରୀ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ।


ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରୁ ତାଙ୍କର ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା। ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା।

ସମ୍ବନ୍ଧିତ ଖବର